Pm dhan dhanya krishi yojana 1068x601

୧୧ରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ

ରାଜ୍ୟ

ଭୁବନେଶ୍ବର : ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ହେବ। ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଯୋଜନାର ଶୁଭାରମ୍ଭ କରିବେ। ଏହାସହ ଭୁବନେଶ୍ବରରେ ଷ୍ଟେଟ୍‌ ଅଫ ଦ ଆର୍ଟ ହୋଲସେଲ ମାଛ ମାର୍କେଟ ଏବଂ ହୀରାକୁଦରେ ସମନ୍ବିତ ଆକ୍ବା ପାର୍କର ଶିଳାନ୍ୟାସ ହେବ। ଏହି ଅବସରରେ ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ବାର୍ତ୍ତାଳାପ କରିବେ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ରାଜ୍ୟର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ କରାଯିବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ଓଡ଼ିଶା ସରକାରଙ୍କ
ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜଣାପଡ଼ିଛି।
ଗୁରୁବାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଯୋଜନା ପରିପ୍ରେକ୍ଷୀରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ କରାଯାଇଥିଲା। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନଙ୍କ ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହିତ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ।
ସେହିପରି ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ଲୋକଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ଦେବା, ଚାଷୀଙ୍କ ଆୟ, ଉତ୍ପାଦନରେ ବୃଦ୍ଧି ନିମନ୍ତେ ସରକାର ଏହିସବୁ ଯୋଜନାଗୁଡ଼ିକ ପ୍ରସ୍ତୁତ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଦେଶର ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ, କୃଷକ ଉତ୍ପାଦକ ଗୋଷ୍ଠୀ ଲାଭବାନ ହେବେ। ଦେଶରେ ବିଗତ ବର୍ଷ ତୁଳନାରେ ଚଳିତବର୍ଷ ରେକର୍ଡ ପରିମାଣର ପନିପରିବା ଓ ଖାଦ୍ୟଶସ୍ୟ ଉତ୍ପାଦନ ହେଇଛି। ଡାଲି ଏବଂ ତୈଳବୀଜ ଉତ୍ପାଦନରେ ଆତ୍ମନିର୍ଭର ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆହ୍ବାନ ଦେଇଛନ୍ତି। ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦେଶକ ଶୁଭମ ସକ୍ସେନା, କୃଷି ବିଭାଗ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Shrutilipi ad