ଭୁବନେଶ୍ୱର : ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଭୁବନେଶ୍ୱରସ୍ଥିତ ଡ. ସାତକଡ଼ି ହୋତା ସ୍ମୃତି ପରିଷଦ ଓ ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ କୋଟିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଲୋକନାଥ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି କୋଟିଆ ଅଞ୍ଚଳର ବିକାଶ ଉପରେ ଆଲୋଚନା କରିଥିଲେ।


ମୁଖ୍ୟ ଅତିଥି ଓ ବକ୍ତା ଭାବେ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ଯୋଗଦାନ କରି ଡ. ହୋତା ଏବଂ ଡାକ୍ତର ମିଶ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଡ. ହୋତା ଓଡ଼ିଶାର ରେଳବାଇ ବିକାଶର କିମ୍ବଦନ୍ତୀ ପୁରୁଷ ଥିବାବେଳେ ଡାକ୍ତର ମିଶ୍ର ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ଏହା ସହିତ ସେ କୋଟିଆ ଅଞ୍ଚଳ ଆଜି କାହିଁକି ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏତେ ପଛୁଆ ତାହା ବର୍ଣ୍ଣନା କରିଥିଲେ। ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ସେ ସରକାର ଏହି ଅଞ୍ଚଳ ପ୍ରତି ତ୍ୱରିତ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ।

ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁକାନ୍ତ ପ୍ରଧାନ ଏବଂ ବିଶିଷ୍ଟ ସମାଜସେବୀ ଜଳେନ୍ଦ୍ର ତ୍ରିପାଠୀ ଯୋଗଦାନ କରି ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଷଦର ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କୋରାପୁଟରେ ଆଲୋଚନା ଚକ୍ର ଆୟୋଜନ କରିବା ସମ୍ପର୍କରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ କୋଟିଆ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁଧୀର କୁମାର ଗୁନ୍ଥା ଧନ୍ୟବାଦ ଅର୍ପଣ କରିଥିଲେ। ଗୌରୀ ଶଙ୍କର ନାୟକ, ବଳରାମ ବାରିକ, ଡାକ୍ତର ସୁରେନ୍ଦ୍ର କଂହାର, ସୋମନାଥ ସାମନ୍ତରାୟ, ପ୍ରତାପ ଚୌଧୁରୀ, ରାଜେନ୍ଦ୍ର ପଟ୍ଟନାୟକ ଏବଂ ଆଞ୍ଜୁଲତା ଆଚାର୍ଯ୍ୟ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ସମାବେଶ କୋଟିଆ ଅଞ୍ଚଳର ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଇଛି।

