କଟକ : ଶାରଦୀୟ ଦୁର୍ଗାପୂଜା ଅବସରରେ କଟକର ପୋତାପୋଖରୀ ପଇସା ପୂଜା କମିଟି ପକ୍ଷରୁ ଆଜି ପୂଜା ମଣ୍ଡପ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମ୍ମିଳନୀରେ ଚଳିତ ବର୍ଷର ପୂଜା ପ୍ରସ୍ତୁତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।
କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖ, ଷଷ୍ଠୀ ତିଥିରେ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ସପ୍ତମୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବ।
ପୂଜା କମିଟିର ମୁଖ୍ୟ ଆକର୍ଷଣ ଭାବରେ ଅଷ୍ଟମୀ ତିଥିରେ ଶ୍ରୀ ଜଗନ୍ନାଥ ଚେତନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଦିନ ଶ୍ରୀ ଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀ ପକ୍ଷରୁ ‘ଶ୍ରୀ ଜଗନ୍ନାଥ ଚେତନା କୁଇଜ୍’ ଅନୁଷ୍ଠିତ ହେବ। ଏଥିରେ ଏକ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ସାମୁହିକ ସ୍ୱାଧ୍ୟାୟରେ ଭାଗ ନେବା ପରେ ସାମୁହିକ କୁଇଜ୍ ଏବଂ ‘ଶ୍ରୀ ଜଗନ୍ନାଥ କଥାମୃତ’ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡଃ ଶୁଭେନ୍ଦୁ ସ୍ୱାଇଁ ଏବଂ କୁଇଜ୍ ମାଷ୍ଟର ଭାବେ ପଣ୍ଡିତ ଲିଙ୍ଗରାଜ ପତି ଯୋଗଦେବେ। ଏହା ସହିତ ପ୍ରସିଦ୍ଧ ସଙ୍ଗୀତଜ୍ଞ ତାନସେନ ସିଂହ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। କମିଟିର ଉପଦେଷ୍ଟା ସୁବୋଧ ମହାନ୍ତି ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତମାନଙ୍କୁ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି।
ସେହିପରି, ନବମୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ପର୍ବ ଏବଂ ଦଶମୀରେ ୪ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ଦହି ପଖାଳର ବ୍ୟବସ୍ଥା କରାଯାଇଛି ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ସଭାପତି ରମେଶ ଚନ୍ଦ୍ର କର, କାର୍ଯ୍ୟକାରୀ ସଭାପତି ଡଃ ପ୍ରଭୁ ଚରଣ ମହାନ୍ତି, ଉପସଭାପତି ବିନୋଦ ନାୟକ, ସମ୍ପାଦକ ମନୋଜ ମହାରଣା, କାର୍ଯ୍ୟକାରୀ ସମ୍ପାଦକ ବାପି ରାୟଙ୍କ ସମେତ ରଞ୍ଜନ ସାହୁ, ବିରେନ୍ଦ୍ର ସିଂହ, ଚନ୍ଦ୍ରକାନ୍ତ ଦାସ, ସମ୍ବିତ ଦାସ, ଅମୀୟ ସ୍ୱାଇଁ, ଆଶୁତୋଷ ବିଶ୍ୱାଳ, ପୀତବାସ ବେହେରା, ସୁମନ୍ତ ନାୟକ, ରୋନିତ ମହାରଣା, ରଞ୍ଜନ ଦାସ, ସନତ କୁମାର ନାୟକ, ବିଭୁ ଖଟୁଆ, ପୀତବାସ ବେହେରା, ସୁଜିତ ମହାନ୍ତି, ଦୀପକ ବେହେରା, ସୁବ୍ରତ ନାୟକ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ଥିଲେ।

