Img 20250926 wa0187

ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ରାଜ୍ୟ
ବାରିପଦା: ଚଳିତ ସେପ୍ଟେମ୍ବର ୨୭ ତାରିଖରେ ପାଳିତ ହେବାକୁଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଅବ୍ୟବହିତ ପୂର୍ବରୁ ଏହି ପରିପ୍ରେକ୍ଷୀରେ   ବାରିପଦା ଠାରେ  ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ତତ୍ତ୍ୱlବଧାନରେ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସ୍ୱସ୍ତି ଇନ୍ଷ୍ଟିଚ୍ୟୁଟ ଅଫ ମ୍ୟାନେଜେମେଣ୍ଟ ଏଣ୍ଡ ସୋସିଆଲ ଷ୍ଟାଡି଼ଜର ଅଧ୍ୟକ୍ଷ ପ୍ରଫେସର ରାଜ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଓ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ. ପ୍ରାରମ୍ଭରେ  ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ  ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ଓ ଚଳିତ ବର୍ଷର ବିଷୟ ବସ୍ତୁ ” Tourism & Sustainable transformation “( ପର୍ଯ୍ୟଟନ ଏବଂ ସ୍ଥାୟୀ ରୂପାନ୍ତରଣ ) ଶୀର୍ଷକ ଉପରେ ଆଲୋକପାତ କରିଥିଲେ |ମୁଖ୍ୟ ଅତିଥି  ଶ୍ରୀ ପାଣିଗ୍ରାହୀ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ଆବଶ୍ୟକତା ଓ ଏହାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶା କିପରି ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି,ସେ ସମ୍ଭନ୍ଧରେ ଉଲ୍ଲେଖ କରିଥିଲେ | ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |
କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ ଯେ ବିଶ୍ୱରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ କଳା, ସାହିତ୍ୟ, ସଂସ୍କୃତି ଓ ଭାବର ଆଦାନ ପ୍ରଦାନ ତଥା ସୁସମ୍ପର୍କ ସ୍ଥାପନ ପାଇଁ ପର୍ଯ୍ୟଟନ ଏକ ସେତୁ ସଦୃଶ. ବର୍ତ୍ତମାନ ସମୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପ ଏକ ପ୍ରମୁଖ ଭୂମିକା ବହନ କରିଛି.ଆଜି ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶାର ପୁରୀ ଯେପରି  ମହାପ୍ରଭୁ ଶ୍ରୀଜଗନ୍ନାଥ ପାଇଁ  ବିଶ୍ୱ ବିଦିତ, ମୟୂରଭଞ୍ଜର ଶିମିଳିପାଳ ମଧ୍ୟ ସେହିପରି ବିଶ୍ୱ ଆଦୃତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ ଓ ପ୍ରଫେସର ପାଣିଗ୍ରାହୀ କୁଇଜ଼ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ପୁରସ୍କୃତ କରିଥିଲେ|
କୁଇଜ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ସେଣ୍ଟ ଆନିସ କନଭେଣ୍ଟ ସ୍କୁଲର ଛାତ୍ର ରାଜ କୁମାର ଦାସ, ସେଣ୍ଟ ଆନିସ କନଭେଣ୍ଟ ସ୍କୁଲର ଛାତ୍ର ଏକତ୍ୱ ଅର୍ଣ୍ଣବ ଓ କମଳା ନେହରୁ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚୁଲବୁଲି ସିଂ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହାବିଦ୍ୟାଳୟ ସ୍ତରରେ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭ ସୌରଭ ବାରିକ, ବାରିପଦା ଡିଗ୍ରୀ ମହାବିଦ୍ୟାଳୟର  ଦିପ୍ତୀସ୍ମିତା ସାହୁ, ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲାବ୍ୟନ ଦଳେଇ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ  ଅଧିକାର କରିଥିଲେ।
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରି ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ. ଶେଷରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଧନ୍ୟବାଦ ଅର୍ପଣ କରିଥିଲେ |
Shrutilipi ad