ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୪ତମ ସ୍ଥାନ ମିଳିଛି। ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ ଏନଆଇଆରଏଫ ତାଲିକାରେ ୧୫ତମ ସ୍ଥାନରେ ଥିଲା। ତେବେ ୨୦୨୧ରେ ୩୧ତମ ସ୍ଥାନ ହାସଲ କରିଥିବା ଏହି ଅନୁଷ୍ଠାନ ମାତ୍ର ଚାରି ବର୍ଷ ମଧ୍ୟରେ ସତର ସୋପାନ ଉପରକୁ ଉଠି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଯାହାକି ଗୌରବର ବିଷୟ।
ସେହିପରି ସାମଗ୍ରୀକ କ୍ଷେତ୍ରରେ ମଧ୍ୟ ଏହି ଜାତୀୟ ପ୍ରତିଷ୍ଠାନ ଚଳିତ ବର୍ଷ ବିଶେଷ ସଫଳତା ଆଣିଦେଇଛି। ଏହି ବର୍ଗରେ ଏମ୍ସ ଭୁବନେଶ୍ବର ଶ୍ରେଷ୍ଠ ଶହେ ମଧ୍ୟରେ ନିଜକୁ ସାମିଲ କରିପାରିଛି। କେବଳ ମେଡିକାଲ୍ ପ୍ରତିଷ୍ଠାନ ହୋଇଥିଲେ ମଧ୍ୟ ସାମଗ୍ରୀକ ବର୍ଗରେ ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ପାଇବା ଅତ୍ୟନ୍ତ ଉତ୍ସାହଜନକ ଖବର।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିବା ୨୦୨୫ ବର୍ଷ ପାଇଁ ଏନଆଇଆରଏଫ ତାଲିକା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତରେ ସର୍ବୋତ୍ତମ ମେଡିକାଲ୍ କଲେଜର ମାନ୍ୟତା ପ୍ରଦାନ କରାଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ବାସଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଏହି ଜାତୀୟ ଅନୁଷ୍ଠାନ ଭିତ୍ତିଭୂମି, ଶିକ୍ଷା, ରୋଗୀ ସେବା ଏବଂ ଗବେଷଣା ସମେତ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି।

