ବାରିପଦା : ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ପ୍ରଥମେ କଳା ପରିଷଦ, ଢେଙ୍କାନାଳ ପ୍ରସ୍ତୁତ ନାଟକ “ଯାହା କହିବି ସତ କହିବି” ମଞ୍ଚସ୍ଥ ହୋଇଯାଇଛି I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସାଗରୀକା ସିଂହ, ସମ୍ମାନିତ ଅତିଥି ଭାବେ ରେଭେନ୍ସା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପିକା, ବିଶିଷ୍ଟ ଲେଖିକା ଓ ଅଭିନେତ୍ରୀ ଡଃ ମାଙ୍ଗଳିକା ମହାପାତ୍ର, ବିଶିଷ୍ଟ କ୍ରୀଡ଼ାବିତ ତଥା ଅଭିନେତା ଇ. ପ୍ରଦୀପ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ I ଅଭିନେତା, ନିର୍ଦ୍ଦେଶକ ତଥା ଆୟୋଜନ କମିଟିର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ପ୍ରୟାସ ଶତପଥି ମଞ୍ଚ ପରିଚାଳନା କରିଥିଲେ I ଯୌତୁକ ଏକ ସାମାଜିକ ବ୍ୟାଧି ଜାଣିଶୁଦ୍ଧା ସମାଜରେ ଯୌତୁକ ଜନିତ ଅପରାଧ ବାରମ୍ବାର ଘଟୁଛି I ହେଲେ ସମାଧାନ…? ଏହି ବିଷୟବସ୍ତୁ ଉପରେ ଆଧାରିତ ଦିଲ୍ଲୀଶ୍ୱର ମହାରଣାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ଶତୃଘ୍ନ ମାଟି, ଅଶୋକ ଦାସ, ସଂଗ୍ରାମ ବିଶ୍ୱାଳ, ଜ୍ୟୋତି ରଞ୍ଜନ ବସ୍ତିଆ, ମନ୍ମଥ ପଟ୍ଟନାୟକ, ଦିତୀକୃଷ୍ଣ, ମଲ୍ଲିକ, ଶଶୀକାନ୍ତ ପାଣି, ଲକ୍ଷ୍ମୀକାନ୍ତ ସାହୁ, ଶ୍ରୀପଦ୍ମା ସାହୁ ଅଭିନୟ କରିଥିବା ବେଳେ ସଂଗୀତରେ ବ୍ରଜବନ୍ଧୁ ରଣସିଂହ, ମଞ୍ଚପରିଚାଳନାରେ ଅମ୍ବିକା ପ୍ରସାଦ ପଟ୍ଟନାୟକ ଓ ବିନୋଦ ମହାନ୍ତି ଏବଂ ସହ ନିର୍ଦ୍ଦେଶନାରେ ଶତୃଘ୍ନ ମାଟି ସହଯୋଗ କରିଥିଲେ I ପରେପରେ ନାଟ୍ୟ ଶ୍ରୀ, ବରହମପୁର ପ୍ରସ୍ତୁତ ତଥା ପଞ୍ଚାନନ ଦାସଙ୍କ ରଚିତ ଓ ସତ୍ୟବ୍ରତ ଦାସଙ୍କ ନିର୍ଦ୍ଦେଶିତ ନାଟକ “ଜରାୟୁ” ମଞ୍ଚସ୍ଥ ହୋଇଥିଲା I ଆଜିର ନାରୀ ନିଜେ ମାତୃତ୍ୱ ଲାଭ ନକରି ଅନ୍ୟର ଜରାୟୁରେ ସନ୍ତାନ ଜନ୍ମ କରାଇ ମା’ ହେବାର ଗର୍ବ ଅନୁଭବ କରେ I ସତରେ ମା’ କିଏ…? ଏହି ବିଷୟବସ୍ତୁ ଉପରେ ଆଧାରିତ ନାଟକରେ ରାଧାକାନ୍ତ ନାୟକ, ନରସିଂହ ରଣା, ସୌମ୍ୟ ରଞ୍ଜନ ରଥ, ସରୋଜ କୁମାର ପଣ୍ଡା, ସତ୍ୟବ୍ରତ ଦାସ, କୁନି ପଣ୍ଡା, ସସ୍ମିତା ରାଣୀ ରାଉତ ଅଭିନୟ କରିଥିବା ବେଳେ ସଂଗୀତରେ ଯତୀନ ଦାସ ଓ ଅରୁଣ ରାଜ, ମଞ୍ଚସଜ୍ଜାରେ ନରସିଂହ ବାରିକ, ସଂଜ୍ଞା ସମାହିତା ପାଢ଼ୀ ଓ ସିମାଞ୍ଚଳମ ମହାରଣା ଏବଂ ସହ ନିର୍ଦ୍ଦେଶକ ଭାବେ ଵିଲୋଚନ ପାତ୍ର ଓ ପାର୍ଥସାରଥି ମହାନ୍ତି ସହଯୋଗ କରିଥିଲେ I ଆସନ୍ତା କାଲି ସନ୍ଧ୍ୟାରେ ଏକ ମାତ୍ର ନାଟକ ଶତାବ୍ଦୀ ର କଳାକାର, ଭୁବନେଶ୍ୱର ପ୍ରସ୍ତୁତ “ମହାସଂଗ୍ରାମର ମହାନାୟକ” ପରିବେଷିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

