ବାରିପଦା: ସ୍ଥାନୀୟ ଏମ କେ ସି ଉଚ୍ଚ ବିଦ୍ୟାଳୟ ପରିସରରେ ୫ ଦିନିଆ ବାରିପଦା ବ୍ଲକ ସ୍ତରୀୟ ‘ନିଷ୍ଠା- ସମତା ଓ ଅନ୍ତରନିବେଶୀ ଶିକ୍ଷା’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବାରିପଦା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଉଦଘାଟିନ କରିଥିବାବେଳେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ଦ୍ୱାରା ଉଦଯାପିତ ହୋଇଥିଲା I ଏଥିରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ମୋଡ୍ୟୁଲ ଅନୁସାରେ ବଞ୍ଚିତ ବର୍ଗ / ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ଲାଗି ଭାରତୀୟ ସମ୍ବିଧାନ ଅନୁସାରେ ପ୍ରଣିତ ବିଭିନ୍ନ ନିତି ନିୟମ, ସମସ୍ତ ବର୍ଗର ଶିକ୍ଷାର୍ଥୀଙ୍କ ଲାଗି ଉପଯୁକ୍ତ ଭାବେ ପ୍ରଯୁଜ୍ୟ ହେଉଥିବା ବିଭିନ୍ନ ବିଷୟ ଭିତ୍ତିକ ନୂତନ ପାଠ ଯୋଜନା ପ୍ରସ୍ତୁତି, ବିଭିନ୍ନ ପ୍ରକାର ଭିନ୍ନକ୍ଷମଙ୍କ ଲକ୍ଷଣ, ବିଦ୍ୟାଳୟ ଓ ପାରିବାରିକ ପରିବେଶ ତଥା ଶିକ୍ଷା ଗ୍ରହଣ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନର ଉପାୟ, ସମସ୍ତ ଶିକ୍ଷାର୍ଥୀଙ୍କ ସୁସ୍ଥ ନିରାମୟ ଜୀବନ ଯାପନ ଲାଗି ଅନୁକୁଳିତ ଯୋଗର ଆବଶ୍ୟକତା ଓ ଯୋଗର ନୀତି ନିୟମ ତଥା ସହଜ ଯୋଗ କରିବାର ପ୍ରଣାଳୀ, ଶିକ୍ଷା ବ୍ୟବସ୍ଥାରେ କଳାର ସ୍ଥାନ ଓ ଗୁରୁତ୍ୱ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଗୋଷ୍ଠୀ ସାଧନ କର୍ମୀ ରେଖାରାଣୀ ଦାସ, ପୂର୍ଣ୍ଣଚନ୍ଦ୍ରପୁର ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ,ଆହାରି ଉପ୍ରା ବିଦ୍ୟାଳୟର ଶିକ୍ଷକ ମଧୁସୂଦନ ନାଏକ, ବ୍ଲକ କଲୋନୀ ଉପ୍ରା ବିଦ୍ୟାଳୟର ଶିକ୍ଷୟତ୍ରୀ ଶାରଦା ମିଶ୍ର, ଛାଞ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାନୁପ୍ରିୟା ଦାସ ସାଧନ କର୍ମୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଗୋଷ୍ଠୀ ସାଧନ କର୍ମୀ ଦିଲ୍ଲୀପ କୁମାର ଦାସ ଏଥିରେ ସହଯୋଗୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ। ପ୍ରତ୍ୟେକ ପଞ୍ଚ ଦିବସୀୟ ତାଲିମ ଶିବିରରେ ବାରିପଦା ବ୍ଲକର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର ଅଭିମନ୍ୟୁ ସେଠୀ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମର ବିଭିନ୍ନ ପ୍ରସଙ୍ଗ ଉପରେ ଅନେକ ଦିଗ ଦର୍ଶନ ଦେଇ ସମାଜର ପ୍ରତ୍ୟେକ ବର୍ଗର ଶିକ୍ଷାର୍ଥୀଙ୍କ ସମାଜର ସମସ୍ତଙ୍କ ସହିତ ସମତା ର ସହ ବଂଚିବାର ଅଧିକାର ରହିଛି ବୋଲି ମତ ରଖି ଶିକ୍ଷକମାନଙ୍କୁ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଉତ୍ସାହିତ କରିଥିଲେ। ଏହି ପାଞ୍ଚ ଦିନିଆ ତାଲିମ ୪ ଟି ପର୍ଯ୍ୟାୟରେ ମୋଟ ୧୮୦ ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

