ସେପ୍ଟେମ୍ବର ୧୩ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ରାଜ୍ୟ

ବାରିପଦା: ଚଳିତ ସେପ୍ଟେମ୍ବର ମାସର ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦାଙ୍କ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା କୋର୍ଟ ବାରିପଦା ବ୍ୟତୀତ ଅନ୍ୟାନ୍ୟ ସ୍ଥାନ ଯଥା ତାଲୁକ ଆଇନ ସେବା ସମିତି କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ବେତନଟୀ, ଯଶିପୁର, ଠାକୁରମୁଣ୍ଡା, ରାସଗୋବିନ୍ଦପୁର ଓ ମୋରୋଡ଼ା ଠାରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧୀନ ମୋକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟରଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳ ଯୋଗାଣ, ପାରିବାରିକ ସମସ୍ଯା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ମାମଲା ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାର ଆପୋସ ସମାଧାନ ହୋଇପାରିବ। ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରି ପୁରୁଣା ବିବାଦଗୁଡିକର ଆପୋଷ ସମାଧାନ କରାଇବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦା ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି।

Shrutilipi ad