କଟକ: ନେଦରଲାଣ୍ଡ ସରକାରଙ୍କ ଦୂତାବାସ ସହଯୋଗରେ କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, ଓଡି଼ଶା ପରିସରରେ ଆଜି ପୂର୍ବାହ୍ନରେ ଘରୋଇ ହିଂସା ବିରୁଦ୍ଧରେ “ହିଂସାର ସମାଧାନ: ସମସ୍ୟା, ଚ୍ୟାଲେଞ୍ଜ ଏବଂ ଏକ ଉପାୟ” ଶୀର୍ଷକ ଏକ ଦିବସୀୟ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଶ୍ରୀମତୀ ସୁମନ ଦାଶ ଭଟ୍ଟମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହା ବ୍ୟତୀତ ମହିଳାଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ପ୍ରମୁଖ ଏନଜିଓର ସଂପାଦକ ଓ ସମ୍ପାଦିକା, ଯଥା – କ୍ଲାପ ଏନଜିଓ, ଉତ୍କଳ ସେବକ ସମାଜ ଏନଜିଓ, ଏବଂ ମହିଳା ଶିଶୁ ବିକାଶ ଏନଜିଓର ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟର କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର, କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଓ ପରାମର୍ଶଦାତାମାନେ ମଧ୍ୟ ଏହି ପରାମର୍ଶ ଶିବିରରେ ଅଂଶଗ୍ରହଣ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀମତୀ ସୁମନ ଦାଶ ଭଟ୍ଟମିଶ୍ର ମହିଳାମାନଙ୍କ ବିଭିନ୍ନ ପ୍ରକାର ଆଇନଗତ ଅଧିକାର ଓ ଆଇନ ସେବା ଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ। ମହିଳାମାନେ କିଭଳି ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ ଏବଂ ଆବଶ୍ୟକସ୍ଥଳେ ଆଇନ ସେବାର ସହଯୋଗ ନେଇପାରିବେ ସେ ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସୂଚନା ଦିଆଯାଇଥିଲା। ସେ ଗବେଷଣାର ସାମ୍ପ୍ରତିକ ସମୟରେ ଆବଶ୍ୟକତା ଉପରେ ମଧ୍ୟ ନିଜର ମତବ୍ୟକ୍ତ କରିଥିଲେ। ସେ ବିଭିନ୍ନ ସ୍ତରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ଶୋଷଣ ବିରୋଧରେ ସୁରକ୍ଷା ଦେବା ଏବଂ ଏକ ହିଂସାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। ପୀଡ଼ିତାମାନଙ୍କୁ ସୁରକ୍ଷା ଦେବା ତଥା ମହିଳା ହିଂସାକୁ ରୋକିବାରେ ୱାନ୍ ଷ୍ଟପ୍ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସା କରିଥିଲେ।
ପାରିବାରିକ ହିଂସା ଆଇନ୍, ୨୦୦୫ ଉପରେ ଆଲୋଚନା କରାଯିବା ସହ ମହିଳାମାନେ କିପରି ହିଂସାରୁ ରକ୍ଷା ପାଇପାରିବେ ଏବଂ ଯୌତୁକ ନିରୋଧ ଆଇନ, ୧୯୬୧ ବିଷୟରେ ବିସ୍ତୃତ ଧାରଣା ଦିଆଯାଇଥିଲା। ମହିଳା ସାକ୍ଷରତା, ସଶକ୍ତିକରଣ ଓ ସଚେତନତା ହିଁ ପରିବର୍ତ୍ତନ ଆଣିପାରିବ ବୋଲି ମଧ୍ୟ ଆଲୋଚନା କରାଯାଇଥିଲା।
ସମ୍ମାନିତ ଅତିଥି ଭାବେ ଆଇନା ଏନଜିଓର ସମ୍ପାଦିକା ଶ୍ରୀମତୀ ସ୍ନେହା ମିଶ୍ର, ସୁପ୍ରତିଭା ଏନଜିଓର ସମ୍ପାଦକ ଶ୍ରୀଯୁକ୍ତ ବିକାଶ ମହାପାତ୍ର, ବସୁନ୍ଧରା ଏନଜିଓର ସମ୍ପାଦିକା ଶ୍ରୀମତୀ ଶୈଳ ବେହେରା, ଏବଂ ପ୍ରୋଜେକ୍ଟ ସ୍ଵରାଜ ଏନଜିଓର ସମ୍ପାଦିକା ଶ୍ରୀମତୀ ଶର୍ମିଷ୍ଠା ନାଥ ଯୋଗଦେଇ ରାଜ୍ୟରେ ହେଉଥିବା ମହିଳା ହିଂସାକୁ ରୋକିବାରେ ତଥା ନିର୍ଯାତିତାଙ୍କ ପାଇଁ ଏହି ୱାନ୍ ଷ୍ଟପ୍ କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସେମାନେ ଏହି କେନ୍ଦ୍ରକୁ ଆହୁରି ଭଲ କାମ କରିବା ପାଇଁ ଉତ୍ସାହିତ କରିଥିଲେ। ରାଜ୍ୟରେ ହେଉଥିବା ମହିଳା ହିଂସାକୁ ରୋକିବାରେ ସହାୟତା ବଢାଉଥିବା ୱାନ୍ ଷ୍ଟପ୍ କେନ୍ଦ୍ର ଓ ଏନଜିଓମାନଙ୍କର ଭୂମିକା ଉପରେ ଆଲୋକପାତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସହିତ ସମ୍ମାନିତ କରାଯାଇଥିଲା। ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, କଟକର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ଗବେଷିକା ଆରୋଷିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ପ୍ରକଳ୍ପ ପ୍ରବନ୍ଧକ ମନମିତ୍ ସିଂ ଅରୋରା, ସୁଧାଂଶୁ ଭୂଷଣ ମହାରଣା, ରାଜ୍ କିଶୋର ପଣ୍ଡା, ତନ୍ମୟା ଦାସ ଓ ଅମ୍ଳାନ ଜ୍ୟୋତି ରାଉତ ଏବଂ ରାପୋଟର କୁମାର ଅଗ୍ନା ମୁଖାର୍ଜୀ, ଅନ୍ୱେଶ ଷଡ଼ଙ୍ଗୀ ମିଳିତ ଭାବେ ପରିଚାଳନା କରିଥିଲେ।

