ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି। ସାସାରାମର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରାରେ ରାହୁଲ ଓ ତେଜସ୍ବୀଙ୍କ ସହ ରାଜନୈତିକ କଦମତାଲ୍ କରିବେ ବିରୋଧୀ ମେଣ୍ଟର ବହୁ ବରିଷ୍ଠ ନେତା। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବିରୋଧୀ ନେତା ଭୋଟ୍ ଅଧିକାର ଯାତ୍ରାରେ ସାମିଲ ହୋଇ ବିଜେପି ବିରୋଧରେ ହୁଙ୍କାର ଭରିବେ। ଭୋଟ୍ ଚୋରି, ଏସଆଇଆର ଭଳି ପ୍ରସଙ୍ଗରେ ବିଜେପି ପାଇଁ ପ୍ରସ୍ତୁତ କରିବେ ଚକ୍ରବ୍ୟୂହ।
ରାହୁଲ,ତେଜସ୍ବୀ, ପ୍ରିୟଙ୍କାଙ୍କ କେମେଷ୍ଟ୍ରୀ
ରାହୁଲ ଓ ତେଜସ୍ବୀଙ୍କ ଭୋଟର ଅଧିକାର ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀ। 2024 ଲୋକସଭା ନିର୍ବାଚନ ସମୟରେ ପ୍ରିୟଙ୍କାଙ୍କ ଜନସଭାକୁ ନେଇ ଆଗ୍ରହ ପ୍ରକାଶ ପାଇଥିଲା। ତେବେ କେବଳ ରାହୁଲଙ୍କ ସଂସଦୀୟ କ୍ଷେତ୍ର ଓ୍ବାଏନାଡ ଓ ଉତ୍ତରପ୍ରଦେଶରେ ହିଁ ବ୍ୟସ୍ତ ରହିଥିଲେ ପ୍ରିୟଙ୍କା। ତେବେ ବିହାର ନିର୍ବାଚନୀ ମଇଦାନକୁ ମଙ୍ଗଳବାର ଓହ୍ଲାଇବେ ପ୍ରିୟଙ୍କା। ସେ ରାହୁଲ ଓ ତେଜସ୍ବୀଙ୍କ ସହ ସୁପୌଲ ଓ ମଧୁବନୀ ଯାତ୍ରା କରିବେ। ବୁଧବାର ଦରଭଙ୍ଗା ଓ ମୁଜାଫରପୁରରେ ରୋଡ୍ ଶୋ କରିବେ ପ୍ରିୟଙ୍କା।
କମାଲ କରିବେ ପ୍ରିୟଙ୍କା !
ବିହାରର ଅଧା ଜନସଂଖ୍ୟା ମହିଳା ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରିବେ ପ୍ରିୟଙ୍କା। ମିଥିଳାର ଚୌରଚନରେ ହରତାଲିକା ତିଜ୍ ପର୍ବ ଦିନ ହିଁ ପ୍ରିୟଙ୍କା ବିହାର ଆସୁଛନ୍ତି। ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହିଦିନ ଉପବାସ ରଖନ୍ତି ମହିଳା। ସେହିଦିନ ହିଁ ଭୋଟର ଅଧିକାର ଯାତ୍ରାରେ ସାମିଲ ହୋଇ ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୋର୍ ଭୋଟବ୍ୟାଙ୍କ ଭାଙ୍ଗିବାକୁ ରଣନୀତି କରିଛନ୍ତି। ଜେଡିୟୁ ଓ ବିଜେପିର ଗଡ଼ କୁହାଯାଉଥିବା ଅଞ୍ଚଳରେ ଯାତ୍ରା କରିବେ ପ୍ରିୟଙ୍କା। ମହିଳା ଭୋଟରଙ୍କ ସମର୍ଥନ ହାସଲ କରିବା ଦିଗରେ ପ୍ରିୟଙ୍କାଙ୍କ ରୋଡ୍ ଶୋ ରଣନୀତି ପ୍ରସ୍ତୁତ କରିଛି ମହାଗଠବନ୍ଧନ।

