Photo for the news of krusi farm

ସମ୍ପୂର୍ଣ୍ଣ ହେଉନି ବିହନ ବିଶୋଧନାଗାର ପାଚେରି ନିର୍ମାଣ, ଅମଳ ସମୟରେ ସମସ୍ୟାର ସମ୍ଭାବନା

ରାଜ୍ୟ

ଆଗରପଡ଼ା :ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗତ ବର୍ଷ ମେ ମାସରୁ ମୁକୁଳା ପଡ଼ିଥିବା ବନ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ବିହନ ବିଶୋଧନାଗାର ଚାରିପାଖରେ ପାଚେରି ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲା ଏବଂ ଆଉ ମାତ୍ର ପାଖାପାଖି ୩ଶହ ମିଟର ପାଚେରି ନିର୍ମାଣ ସରିଥିଲେ ଏହା ସମ୍ପୂର୍ଣ୍ଣ ହୋଇଥାନ୍ତା । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ପାଖାପାଖି ଏକ ବର୍ଷ ହେବ ଏହା ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଟକି ରହିଛି । ଯଦ୍ୱାରା ଆଗାମୀ ଦିନରେ ଅମଳ ସମୟରେ ଏହା ଏକ ମୁଖ୍ୟ ସମସ୍ୟା ରୂପରେ ଉଭାହେବା ସମ୍ଭାବନା ସୃଷ୍ଟି କରିଛି । ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ବିଶୋଧନାଗାରର ଚର୍ତ୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ ଜୋରସୋରରେ ଚାଲିଥିଲା । ଏଥି ସହିତ ଆଗାମୀ ଦିନରେ ପ୍ରବେଶ ପଥରେ ନୂତନ ଫାଟକ ନିର୍ମାଣ ହେବାକୁ ସ୍ଥିର ହୋଇଥିବାର ସୂଚନା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେଇଥିଲେ । ଅର୍ଥ ମଂଜୁର ହୋଇଥିଲେ ସୁଦ୍ଧା ବିହନ ବିଶୋଧନାଗାରର ସ୍ଥାୟୀ ପାଚେରି ନିର୍ମାଣ ନିମନ୍ତେ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଏହା ମୁକୁଳା ପଡ଼ିଥିବାରୁ ପ୍ରତିବର୍ଷ ଧାନ ଅମଳରେ କ୍ଷୟ ଘଟୁଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେବା ପରେ ପାଚେରି ନିର୍ମାଣ ହୋଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ନହେବାରୁ ଓ ପ୍ରବେଶ ପଥରେ ନୂତନ ଫାଟକ ନିର୍ମାଣ ମଧ୍ୟ ହୋଇନପାରିବାରୁ ଚଳିତ ବର୍ଷ ମଧ୍ୟ ଅମଳ ସମୟରେ ଏହା ଏକ ସମସ୍ୟା ରୂପେ ଠିଆ ହେବାର ସମ୍ଭାବନା ସୃଷ୍ଟି କରିଛି । ବନ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ଠାରେ ୧୯୫୫ ମସିହାରେ ଏକ ବିହନ ବିଶୋଧନାଗାର ପ୍ରତିଷ୍ଠା ହୋଇଥିଲା । ୪୫ ଏକର ପରିମିତ ଜମି ସହ ଫିଲ୍ଡମ୍ୟାନ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ କାର୍ଯ୍ୟାରମ୍ଭ କରିଥିଲା ଏହି ବିଶୋଧନାଗାର । ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏ,୫ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା । ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଚାରା ରୋପଣ କରାଯାଇଥିଲା । ବିଶୋଧନାଗାର ଚାରି ପାଖକୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ କରାଯିବା ସହ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଓ ବଳଦଙ୍କ ପାଇଁ ଗୁହାଳଘର ଆଦି ନିର୍ମାଣ କରାଯାଇଥିଲା । କିନ୍ତୁ ପରେ ସେ ସବୁ ନଷ୍ଟ ହୋଇଯିବା ସହ ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଓ ତାର ବାଡ଼ ସବୁ ନଷ୍ଟ ହୋଇଯିବା ଦ୍ୱାରା ପରିବେଶ ମୁକୁଳା ପଡ଼ିଥିଲା । ଫଳରେ ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଥିଲା । ଚଳିତ ବର୍ଷ ଏହି ବିହନ ବିଶୋଧନାଗାରରେ ୩୫ ଏକର ଜମିରେ ଧାନ ଚାଷ କରାଯାଇଥିବା ବେଳେ ଏହାର ଚାରିପଟରେ ନିର୍ମିତ ହେଉଥିବା ସୁରକ୍ଷା ପାଚେରି ଅଧପନ୍ତରିଆ ଅବସ୍ଥାରେ ଥିବାରୁ ଏହା ଅମଳରେ କ୍ଷୟ ଘଟାଇବା ସୁନିଶ୍ଚିତ । ତେଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ସହ ଅସପୁର୍ଣ୍ଣ ପାଚେରିକୁ ଯଥା ଶୀଘ୍ର ସପୂର୍ଣ୍ଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad