ଆଗରପଡ଼ା :ଜନୈକା କଲେଜ ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ଅପହର୍ତ୍ତା ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ସଂପର୍କରେ ଆଗରପଡ଼ା ଥାନା କେସ ନଂ୧୩୯/୨୫ରେ ଏକ ମାମଲା ରୁଜ୍ଜୁ କରି ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଦେବରାଜ ଜେନା ଅପହୃତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଶ୍ରୀ ଜେନା ତୁରନ୍ତ ପଦକ୍ଷେପ ନେଇ ସଫଳ ହୋଇଥିବାରୁ ତାଙ୍କର ଏତାଦୃଶ କାର୍ଯ୍ୟ ଦକ୍ଷତାକୁ ସମସ୍ତେ ପ୍ରଂଶସା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଭିନ୍ନ ଏକ ସଂପ୍ରଦାୟର ଯୁବକ ଏହି କଲେଜ ଛାତ୍ରୀଙ୍କୁ ଅପହରଣ କରି ହାଇଦ୍ରାବାଦକୁ ପଳାଇଥିଲେ । ଏହି ଖବର ପ୍ରଚାର ହେବା ପରେ ଆଗରପଡ଼ା ଅଂଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅପହୃତାଙ୍କୁ ତୁରନ୍ତ ଉଦ୍ଧାର କରାଯିବ ବୋଲି ପୋଲିସ ଠାରୁ ପ୍ରତିଶୃତି ମିଳିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ସୂଚନାଯୋଗ୍ୟ, ଶ୍ରୀ ଜେନା ଥାନାଧିକାରୀ ଭାବେ ଯୋଗଦେବା ପରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାରେ ସଫଳ ହୋଇଛନ୍ତି । ତେଣୁ ସେ ଅଳ୍ପଦିନ ମଧ୍ୟରେ ଲୋକମାନଙ୍କର ପ୍ରଂଶସାର ପାତ୍ର ହୋଇ ପାରିଛନ୍ତି ।

