Ag

ଭିତ୍ତିଭୂମି ଥାଇ ମଧ୍ୟ ଏନ୍‌ଏସିରୁ ବାଦ ପଡିଲା ଆଗରପଡା, ଅଂଚଳବାସୀଙ୍କ ଆଶା ରହିଗଲା ଆଶାରେ

ରାଜ୍ୟ

ଆଗରପଡ଼ା :ଭଦ୍ରକ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହରାଚଂଳ ଆଗରପଡ଼ା ନୂତନ ଏନ୍‌ଏସି ମାନ୍ୟତା ପାଇବାରୁ ବଂଚିତ ହୋଇଛି । ଯାହାକୁ ନେଇ କେବଳ ଆଗରପଡା ଦାସିନ୍ଦା ନୁହଁନ୍ତି ଜିଲ୍ଲାର ବୁଦ୍ଧିଜୀବୀ, ଜନସାଧାରଣ ଏବଂ ସର୍ବୋପରି ରାଜନୈତିକ ବ୍ୟକ୍ତି ବିଶେଷ ତୀବ୍ର ଆପତ୍ତିି ଉଠାଇଛନ୍ତି । ଶନିକାର ସରକାର ରାଜ୍ୟର ୧୨ ଟି ସହରାଚଂଳକୁ ଏନ୍‌ଏସି ଘୋଷଣା କରିଛନ୍ତି । ସେଥିରେ ଭଦ୍ରକ ଜିଲ୍ଲାର କେବଳ ଧାମନଗତ ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି ସହରାଚଂଳକୁ ଏନଏସି ଘୋଷଣା କରିଛନ୍ତି । ପୂର୍ବ ସରକାରଙ୍କ ଅମଳରେ ଏହି ନିର୍ବାଚନ ମଣ୍ଡଳୀର ଧାମନଗରକୁ ଏନ୍‌ଏସି ଘୋଷଣା କରାଯାଇଥିବା ବେଳେ ଏବେ ଏହି ନିର୍ବାଚନ ମଣ୍ଡଳୀର ତିହିଡି ଏବଂ ଧୁଷୁରୀକୁ ଏନ୍‌ଏସି ଘୋଷଣା କରିବା ପରେ କେବଳ ଧାମନଗର ନିର୍ବାଚନ ମଣ୍ଡଳୀରେ ଏନ୍‌ଏସି ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ଜିଲ୍ଲାରେ ମୋଟ ୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି । ସେଥୁରୁ ଭଦ୍ରକ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ୨ ଟି ମ୍ୟୁନିସିପାଲିଟି ରହିଥିବା ବେଳେ ଚାନ୍ଦବାଲି ଏବଂ ଧାମନଗର ନିର୍ବାଚନ ମଣ୍ଡଳୀରେ ନୂତନ ଘୋଷଣାକୁ ମିଶାଇ ଏନ୍‌ଏସି ସଂଖ୍ୟା ୪କୁ ବୃଦ୍ଧିପାଇଛି । ତେବେ ବିଡ଼ମ୍ବନାର ବିଷୟ ଓଡ଼ିଶାର ଅନ୍ୟତମ ବରପୁତ୍ର ଡ଼ଃ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କ ଜନ୍ମ ମାଟି ତଥା ଭାରତୀୟ ଜାତୀୟ ଆନ୍ଦୋଳନର ଏନ୍ତୁଡ଼ିଶାଳ କୁହାଯାଉଥିବା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଆଗରପଡ଼ାକୁ ସରକାର ଏନ୍‌ଏସି ଘୋଷଣାରୁ ବାଦ ଦେଇଛନ୍ତି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବନ୍ତ ଏବଂ ଭଣ୍ଡାରିପୋଖରୀ ପରି ୨ଟି ବୃହତ ବ୍ଳକ ରହିଛି । ତେବେ ଗୋଟିଏ ନିର୍ବାଚମଣ୍ଡଳୀରେ ଦୁଇଟି ବୃହତ ବ୍ଲକ ଥିବା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀକୁ ସୁଯୋଗରୁ ଅନ୍ତର କରାଯିବା ଏକ ସୁଚିନ୍ତିତ ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିଜେଡି ନେତା ତଥା ଭଣ୍ଡାରୀପୋଖରୀ ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି । ପୂର୍ବ ସରକାରଙ୍କ ଅମଳରେ ସୁଦୃଢ ଭିଲିଭୂମି ଥିବା ଆଗରପଡାକୁ ଏନ୍‌ଏସି ମାନ୍ୟତା ପାଇଁ ଆବଶ୍ୟକ କାଗଜପତ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଥିଲା । ଏବଂ ରାଜ୍ୟ ସରକାରଙ୍କ ଏନ୍‌ଏସି ଘୋଷଣା ଯୋଗ୍ୟତା ତାଲିକାରେ ଆଗରପଡା ୭ ନମ୍ବର ସ୍ଥାନରେ ରହିଥିଲା । ଗତ ବିଧାନସଭା ଅଧିବେଶନ ସମୟରେ ଆଗରପଡାକୁ କେବେ ଏନ୍‌ଏସି ମାନ୍ୟତା ମିଳିବ ବୋଲି ପ୍ରଶ୍ନ ମଧ୍ୟ ଉଠାଯାଇଥିଲା । ବିଭାଗୀୟ ମନ୍ତ୍ରୀ ଏହା ରାଜ୍ୟ ସରକାରଙ୍କ ବିଚାରଧୀନ ଥିବା କହିଥିଲେ । ତେଳେ ଘୋଷିତ ତାଲିକାରେ ଆଗରପଡା ବାଦ ପଡ଼ିବା ଅତ୍ୟନ୍ତ ଦୂର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସରକାରଙ୍କ ଏନ୍‌ଏସି ଘୋଷଣା ଗାଇଡ଼ଲାଇନରେ ସର୍ବନିମ୍ନ ୧୦ ହଜାଇ ଏବଂ ସର୍ବାଧିକ ୫୦ ହଜାର ଲୋକ ବସବାସ କରୁଥିବା ସହରାଚଂଳକୁ ଏନ୍‌ଏସି ଘୋଷଣା କରାଯାଇପାରିବ । ତଦନୁଯାଇ ବିଟିପୁର ପଂଚାୟତର ପାଟକନା, ରାଜତରାପୁର, ବିଟିପୁର, ହଳଦୀପହଣି ଏବଂ ବରହମପୁର ପ୍ରଭୃତି ଅଂଚଳକୁ ନେଇ ୧୦ଟି ୱାର୍ଡ଼, ପୁରୁଷଣ ପଂଚାୟତର ୯ଟି ୱାର୍ଡ଼, ବଡ଼ମହିଷଁଗୋଠ ପଂଚାୟତର ୮ଟି ୱାର୍ଡ଼, ଗୋପୀନାଥପୁର ପଂଚାୟତର ୫ଟି ଏବଂ ମହାନ୍ତିପଡ଼ା ପଂଚାୟତର ୧୧ ଟି ଏହିପରି ପ୍ରାୟ ୪୩ ଟି ୱାର୍ଡ଼କୁ ନେଇ ଆଗରପଡା ଏନ୍‌ଏସି ପରିକଳ୍ପନା କରାଯାଇଥିଲା ଏବଂ ଉକ୍ତ ୪୩ଟି ୱାର୍ଡ଼ର ଜନସଂଖ୍ୟା ମଧ୍ୟରୁ ୩୦ ହଜାରକୁ ଅଧିକହେବ । ତା ଛଡ଼ା ଆଗରପକା ଭଦ୍ରକ ଜିଲ୍ଲାର ଏକ ଉପାନ୍ତ ଅଂଚଳ ହୋଇଥିବା ଯୋଗୁ ଏହା ସଡ଼କ ପଥରେ ଉଭୟ କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାକୁ ସିଧାସଳଖ ସଂଯୋଜିତ ହୋଇଛି । ଏହି ସହରାଚଂଳରେ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ, ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ,ଡ଼ାଏଟ,ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର,ଦମକଳ କେନ୍ଦ୍ର,ବହୁ ପୁରାତନ ଡ଼ାକଘର,ପଶୁ ଡ଼ାକ୍ତରଖାନା ସମେତ ପାଖାପାଖି ୪ଶହ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଯେଉଁଠି ଦୈନିକ ପ୍ରାୟ ଶହେ କୋଟିରୁ ଉର୍ଦ୍ଧ ଟଙ୍କାର କାରବାର ହୋଇଥାଏ । ଗମନାଗମନ ଦୃଷ୍ଟିରୁ ଆଗରପଡା ଜିଲ୍ଲା ହେଡକ୍ୱାର୍ଟର ଠାରୁ ମାତ୍ର ୨୫ କିମି ଦୂରତାରେ ରହିଥିବା ଯୋଗୁ ଜିଲ୍ଲାରେ ଅନ୍ୟତମ ଏନ୍‌ଏସି ଘୋଷଣା ପାଇଁ ଆଗରପଡ଼ା ଏକ ସର୍ବୋକୃଷ୍ଟ ସହରାଚଂଳ ସାବ୍ୟସ୍ତ ହେଉଥିଲେ ମଧ୍ୟ ରାଜନୈତିକ ଚକ୍ରାନ୍ତ କରି ଏହାକୁ ଏନ୍‌ଏସିରୁ ବାଦ ଦିଆଯାଇଛି ବୋଲି ବିଧାୟକ ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି । ତେବେ ସରକାରଙ୍କ ଏହି ପାତରଅନ୍ତର ନୀତିକୁ ଆଗରପଡାବାସୀ ବରଦାସ୍ତ କରିବେ ନାହିଁ ଏହା ବିରୋଧରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେମାନେ ଯାହା କହନ୍ତି:
୦୧.ପୂର୍ବ ସରକାରଙ୍କ ଏନ୍‌ଏସି ଘୋଷିତ ତାଲିକାରେ ଆଗରପଡ଼ା ୭ନଂ ସ୍ଥାନରେ ଥିଲା । ଗତ ବିଧାନସଭା ଅଧିବେଶନ ସମୟରେ ଆଗରପଡାକୁ କେବେ ଏନ୍‌ଏସି ମାନ୍ୟତା ମିଳିବ ବୋଲି ପ୍ରଶ୍ନ ଉଠାଇଥିଲି । ବିଭାଗୀୟ ମନ୍ତ୍ରୀ ଏହା ରାଜ୍ୟ ସରକାରଙ୍କ ବିଚାରଧୀନ ଥିବା ପ୍ରକାଶ କରିଥିଲେ । ଆଗରପଡ଼ା ଏନ୍‌ଏସି ଯୋଗ୍ୟତା ହାସଲ ପାଇଁ ସରକାରଙ୍କ ସବୁ ମାନଦଣ୍ଡକୁ ପୂରଣ କରୁଥିବା ବେଳେ ଘୋଷିତ ତାଲିକାରେ ଆଗରପଡା ବାଦ ପଡ଼ିବା ଅତ୍ୟନ୍ତ ଦୂର୍ଭାଗ୍ୟଜନକ । ତେଣୁ ସରକାର ଏହା ଉପରେ ତର୍ଜମା କରି ଏକ ସିଦ୍ଧାନ୍ତରେ ନ ପହଂଚିଲେ ସରକାରଙ୍କ ଏହି ପାତରଅନ୍ତର ନୀତିକୁ ଆଗରପଡାବାସୀ ବରଦାସ୍ତ କରିବେ ନାହିଁ ଏବଂ ଏହା ବିରୋଧରେ ଜନ ଆନ୍ଦୋଳନ ତୀବ୍ରତର ହେବ ।

Photo of sanjib mallick

ସଂଜୀବ ମଲ୍ଲିକ,ବିଧାୟକ,ଭଣ୍ଡାରିପୋଖରୀ

୦୨.ଆଗରପଡ଼ା ଅଂଚଳର ଜଣେ ସୁନାଗରିକ ଭାବେ କହିବାକୁ ଚାହେଁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଭଦ୍ରକ ଜିଲ୍ଲାର ମାନ୍ୟବର ଯୁବ ମନ୍ତ୍ରୀଙ୍କର ଡ଼ଃ ମହତାବଙ୍କ ଜନ୍ମଭୂମି ଆଗରପଡ଼ାକୁ ପ୍ରଥମ ପର୍ଯ୍ୟାୟରେ ଏନ୍‌ଏସି ଘୋଷଣା ନକରିବା(ଉକ୍ତ ଅଂଚଳ ସରକାରଙ୍କ ସମସ୍ତ ମାନଦଣ୍ଡ ପାରିତ କରିଥିଲେ ମଧ୍ୟ)ଉତ୍କଳ କେଶରୀଙ୍କ ପ୍ରତି ଏବଂ ଅଂଚଳବାସୀଙ୍କୁ କେତେ ପରିମାଣରେ ଭଲ ପାଉଛନ୍ତି ତାହା ସେମାନଙ୍କ ଅସୂୟା ମନୋଭାବର ସୂଚନା ପ୍ରଦାନ କରୁଅଛି ।

Photo of prasanta das

ପ୍ରଶାନ୍ତ କୁମାର ଦାଶ,ସଭାପତି,ପୁରୁଷଣ୍ଢ ସେବା ସମବାୟ ସମିତି,ଆଗରପଡ଼ା

୦୩.ଯୁଗର ତାଳେ ତାଳେ ସମସ୍ତେ ନିଜର ଚାଲିଚଳନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । ଏହିପରି ସ୍ଥଳେ ସରକାରଙ୍କ ସବୁ ମାନଦଣ୍ଡକୁ ପୂରଣ କରିପାରୁଥିବା ବେଳେ ଭଦ୍ରକ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହରାଚଂଳ ଆଗରପଡ଼ା ନୂତନ ଏନ୍‌ଏସି ମାନ୍ୟତା ପାଇବାରୁ ବଂଚିତ ହେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ତେଣୁ ଏହାକୁ ରାଜନୀତିକରଣ ନକରି ଏହା ଉପରେ ସରକାର ତର୍ଜମା କରିବା ଆବଶ୍ୟକ ।

Photo of binod kumar dhall samanta
ବିନୋଦ କୁମାର ଧଳ ସାମନ୍ତ,ନିର୍ଦ୍ଦେଶକ,କଳିଙ୍ଗ କମ୍ପ୍ୟୁଟର୍ସ,ଆଗରପଡ଼ା

Shrutilipi ad