ଆଗରପଡ଼ା : ଶନିବାର ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ରରୁ ଔଷଧ ଆଣିବାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତଣାଧୀନ ହୋଇଥିଲା । ପ୍ରାପ୍ତ ଖବରରୁ ପ୍ରକାଶ,ରୋଗୀମାନେ ଧାଡ଼ିକରି ନିରାମୟ କେନ୍ଦ୍ରରୁ ଔଷଧ ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁସାରେ ନେଉଥିଲେ । ହଠାତ୍ ଜଣେ ଗୁରୁତର ରୋଗୀ ଆସିବାରୁ ତାଙ୍କୁ ଆଗ ଔଷଧ ଦିଆ ଯାଇଥିଲା । ଧାଡ଼ିରେ ଥିବା ରୋଗୀମାନେ ଏହାକୁ ବିରୋଧ କରିବାରୁ ଭତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସୂଚନାଯୋଗ୍ୟ, ବ୍ଳକରେ ଏକମାତ୍ର ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବନ୍ତ, ହାଟଡିହୀ, ଖଇରା ବ୍ଲକର ଅଧିକାଂଶ ପଂଚାୟତବାସୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ପ୍ରତିଦିନ ଶତାଧୀକ ରୋଗୀ ଏଠାକୁ ଆସୁଥିଲେ ସୁଦ୍ଧା ଖରାବର୍ଷାରେ ଖୋଲା ଆକାଶ ତଳେ ନିରାମୟ କେନ୍ଦ୍ରରୁ ଔଷଧ ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହେଉଥିବାର ପରିଲକ୍ଷିତ ହେଉଛି । ଏହି କେନ୍ଦ୍ର ସାମ୍ନାରେ ଅଧିକ ସ୍ଥାନ ଥିଲେ ସୁଦ୍ଧା ଉପରେ ଆବଦ୍ଧ କରାଯିବାର କୌଣସି କିଛି ବ୍ୟବସ୍ଥା ହୋଇନାହିଁ । କେବଳ ଅଳ୍ପ କିଛି ସ୍ଥାନରେ ରୋଗୀ ଠିଆ ହେବା ସ୍ଥାନ ଉପରେ ଆଜ୍ବେଷ୍ଟସ ପକା ଯାଇଛି । ଯଦ୍ଦ୍ୱାରା ରୋଗୀମାନେ ନାନାଦି ହୀନସ୍ତା ହେଉଛନ୍ତି । ଟିକେଟ କାଉଣ୍ଟରରେ ସ୍ୱତନ୍ତ୍ର କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇନାହାଁନ୍ତି ।

