ଆଗରପଡ଼ା :ଲଘୁଚାପ ଜନିତ ଲଗାଣ ବର୍ଷାରେ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ଆପ୍ତିରା ଅଂଚଳରେ ଥିବା ଶହଶହ ଏକର ଧାନଚାଷ ଜମିରେ ନିଷ୍କାସିତ ହୋଇ ନ ପାରି ପାଣି ଜମି ରହିଛି । ଏଥିରେ ଧାନଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଥିନେଇ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି । ମୁଣ୍ଡଳୀ ମାଇନର କାଡ଼ାନାଳରୁ ଅତ୍ୟଧିକ ପାଣି ନିର୍ଗତ ହେଉଛି ଓ ଏଠାରେ ଥିବା କାଡ଼ା ନାଳରୁ ପାଣି ନିଷ୍କାସିତ ହେବାପାଇଁ ସୁବ୍ୟବସ୍ଥା ହୋଇପାରି ନାହିଁ । ଏହି ନାଳ ଦୀର୍ଘ ଦିନ ହେବ ସଫା ହୋଇ ନ ଥିବାରୁ ନାଳ ପୋତି ହୋଇଯାଇଛି । ମୁଖ୍ୟ ରାସ୍ତାରେ ସଂକୀର୍ଣ୍ଣ ଶୋଠରେ ଅଧିକ ପରିମାଣରେ ପାଣି ନିଷ୍କାସିତ ହୋଇ ପାରୁନାହିଁ । ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ଶାଖା କେନାଲକୁ ପାଣି ଆସିବା ପାଇଁ ପୁରୁଷଣ୍ଢ ମୁଖ୍ୟ କେନାଲରେ ଥିବା ଲୁହା ଗେଟ ଲକ ଅଚଳ ହୋଇ ପଡ଼ିଛି । ଯଦ୍ଦ୍ୱାରା ଲୋକମାନେ ମାଛ ଧରିବା ପାଇଁ ନିଜ ସୁବିଧା ମୁତାବକ ଏହି ଗେଟ କୁ ବାରମ୍ୱାର ଟେକି ଦେବାରୁ ଅଧିକ ପରିମାଣରେ ଏହି ଅଂଚଳକୁ ପାଣି ମାଡ଼ି ଆସୁଛି ଓ ଏଠାରେ ଥିବା ଚାଷଜମି ଜଳମଗ୍ନ ହୋଇ ରହୁଛି । ଗେଟ ଲକ ସଜଡ଼ା ହେବାପାଇଁ ଦିଆଯାଇଛି ବୋଲି ବିଭାଗୀୟ କନିଷ୍ଠ ଯଂତ୍ରୀ କହିଛନ୍ତି । ଅନ୍ୟପକ୍ଷରେ କାଡ଼ା ବିଭାଗ କନିଷ୍ଠ ଯଂତ୍ରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରା ଯାଇଥିଲେ ମଧ୍ୟ ସେ କଲ ରିସିଭ କରି ନ ଥିଲେ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିବା ସହ ତୁରନ୍ତ ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚାଷୀମାନେ ଦୃଢ଼ ଚେତାବନୀ ଦେଇଛନ୍ତି ।

