କଟକ: ଏଣିକି କଡ଼ା ନଜରରେ ରହିବେ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍ର କଏଦୀଙ୍କ ବିଶୃଙ୍ଖଳିତ ଆଚରଣ ଏବେ ଜେଲ୍ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜେଲ ଉପରେ ଡ୍ରୋନ୍ ଉଡାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍ ପାଚେରି ଦେଇ ନିଶା ସାମଗ୍ରୀ ଜେଲ୍ ଭିତରକୁ ଆସୁଛି। ଏହାକୁ ରୋକିବା ପାଇଁ ଜେଲ୍ ବିଭାଗ ଜେଲ୍ ପରିସରରେ ଡ୍ରୋନ୍ ଉଡ଼ାଇବାକୁ ନିଷ୍ପତ୍ତି ନେଇଛି।
ପ୍ରଥମ ପର୍ଯ୍ୟାୟରେ ୫ଟି ଜେଲ୍ରେ ଡ୍ରୋନ୍ ଉଡ଼ାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜେଲ୍ରେ ଡ୍ରୋନ୍ ଉଡ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୧୭ ହଜାର ୪୯୭ କଏଦୀ ବିଭିନ୍ନ ଜେଲ୍ରେ ଅଛନ୍ତି। ଜେଲ୍ ଭିତରେ ଗଞ୍ଜେଇ, ବ୍ରାଉନ୍ସୁଗାର୍, ମୋବାଇଲ୍ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ଜେଲ୍ ପାଚେରି। କଏଦୀଙ୍କ ସହଯୋଗୀମାନେ ଜେଲ୍ର ଉଚ୍ଚା ପାଚେରି ଦେଇ ପୁଡ଼ିଆଗୁଡ଼ିକ ଜେଲ୍ ଭିତରକୁ ଫିଙ୍ଗୁଛନ୍ତି। ଏହାକୁ ରୋକିବା ଉଦ୍ଦେଶ୍ୟରେ କଟକରେ ଥିବା ଚୌଦ୍ବାର ସର୍କଲ ଜେଲ୍, କୋରାପୁଟ ସର୍କଲ ଜେଲ୍, ସମ୍ବଲପୁର ସର୍କଲ ଜେଲ୍, ବ୍ରହ୍ମପୁର ସର୍କଲ ଜେଲ୍, ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର ଜେଲ୍ରେ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍ ଉଡ଼ାଇବାକୁ ନିଷ୍ପତ୍ତି ହୋଇଛି।
