ବାରିପଦା: ଆଜି ବାରିପଦା ପୌରପାଳିକା ତରଫରୁ ପୌର ପାଳିକା ଅତିଥି ଭବନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଜନା (ସହରୀ) -୨.୦ କାର୍ଯ୍ୟାଦେଶ, ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ବାରିପଦା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ସପନ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ତହସିଲଦାର ଶ୍ରୀକାନ୍ତ ନାୟକ, ଅତିରିକ୍ତ ତହସିଲଦାର ଭରତ ପାତ୍ର,ଉପାଧ୍ୟକ୍ଷା ସୀମା ଦାସ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ନଗରପାଳ ଶ୍ରୀ ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ବିସ୍ତୃତ ଭାବେ ସରକାରଙ୍କ ଜନକଲ୍ୟାଣକାରି ଯୋଜନା ପ୍ରଧାନମନ୍ତ୍ରୀ ଆବାସ, ଜଙ୍ଗଲ ଜମି ପଟ୍ଟା ଓ ଭୂମିହୀନ ପଟ୍ଟା ଜନ ଯୋଜନା ସମ୍ପର୍କରେ ହିତାଧିକାରୀ ତଥା ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଡ. ମହାପାତ୍ର କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ ନୁହେଁ ଏହା ସହରାଞ୍ଚଳରେ ବାସ କରୁଥିବା ଘର ନଥିବା ଗରିବଙ୍କ ପାଇଁ ମଧ୍ୟ ଉଦିଷ୍ଟ। ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ମଧ୍ୟ ଗୃହ ଯୋଗାଇ ଦିଆଯାଉଛି। ଏଥି ସହିତ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବାରିପଦା ସହରର ବିକାଶ ପାଇଁ ଆଗକୁ ଅନେକ ଗୁଡିଏ କାର୍ଯ୍ୟ ହାତକୁ ନିଆଯାଉଛି। ନଗର ଉନ୍ନୟନ ବିଭାଗର ନୂତନ ଯୋଜନା ଅନୁସାରେ ଆଗାମୀ ଭବିଷ୍ୟତରେ ବାରିପଦା ସହରର ଦୃଶ୍ୟପଟ ପରିବର୍ତନ ହେବ ଏବଂ ଦେଶର ଏକ ନମ୍ବର ସହର ଭାବେ ପରିଚିତ କରିବା ପାଇଁ ପରିକଳ୍ପନା କରାଯାଇଛି। ସହରର ବିଭିନ୍ନ ପ୍ରକାର ବିକାଶ କରାଯିବା ସହିତ ବାସଭୂମିର ସୀମିତତା ହେତୁ ଏହାର ପରିମାଣକୁ ପରିବ୍ୟାପ୍ତ କରାଯିବ। ପୌର ପାଳିକା ତରଫରୁ ବିଭିନ୍ନ ବର୍ଗର ଗୃହ ନିର୍ମାଣ କରାଯାଇ ଆବଶ୍ୟକ ଅନୁସାରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ତତ ସହିତ ସହରକୁ ସମ୍ପୂର୍ଣ୍ଣ ବସ୍ତି ମୁକ୍ତ ଅଂଚଳ କରାଯିବା ନେଇ ଯୋଜନା କରାଯାଉଛି। ଏହି ବିକାଶ ଧାରାରେ ସମସ୍ତଙ୍କ ସହଭାଗୀତା ଓ ସହଯୋଗ ଆବଶ୍ୟକ । ତେଣୁ ବାରିପଦା ସହରକୁ ସୁସ୍ଥ, ସୁନ୍ଦର ଓ ଶ୍ରେଷ୍ଠ ସହରରେ ପରିଣତ କରିବା ପାଇଁ ଆମେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ବୋଲି ମନ୍ତ୍ରୀ କହିଥିଲେ।
ମାନ୍ୟବର ମନ୍ତ୍ରୀ ଏହି ଅବସରରେ ସହରର ବିଭିନ୍ନ ୱାର୍ଡର ୪୯ ଜଣ ହିତାଧିକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ, ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ବସୁନ୍ଧରା ଯୋଜନା ଅନ୍ତର୍ଗତ ୧୩ ଜଣ ହିତାଧିକାରୀଙ୍କୁ ଭୂମିହୀନ ପଟ୍ଟା ବଣ୍ଟନ କରିଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକା ଓ ତହସିଲ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ, କର୍ମଚାରୀ, ବିଭିନ୍ନ ୱାର୍ଡର କାଉନସିଲର, ବିଜେପି ପୂର୍ବତନ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରଜନୀ କାନ୍ତ ବିଶ୍ୱାଳଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ସ୍ୱଚ୍ଛ ସାଥି,ହିତାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

