Anil

ଅନୀଲ ଅମ୍ବାନୀଙ୍କ ଅଡୁଆ ବଢ଼ିଲା, ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ଦେଶ - ବିଦେଶ

ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବ୍ୟାଙ୍କ ଋଣ ଜାଲିଆତି ମାମଲା ପରେ ଏବେ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାର ତଦନ୍ତକୁ ତ୍ଵରାନ୍ବିତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏହି ଘଟରାରେ ଇଡି ପକ୍ଷରୁ ଅନୀଲଙ୍କୁ ସମନ ଜାରି କରାଯିବା ସହିତ ଓଡ଼ିଶା ଏବଂ କଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାକ୍ଷ ଶାଖା(ଇଓଡବ୍ଲ୍ୟୁ) ତରଫରୁ ୨୦୨୪ ନଭେମ୍ବର ୧୧ରେ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ଏକ ପ୍ରବର୍ତ୍ତନ ମାମଲା ସୂଚନା ରିପୋର୍ଟ ରୁଜୁ କରିଛି।

ଇଡି ଅଭିଯୋଗ କରିଛି ଯେ, ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ବଳରେ ଅନୀଲଙ୍କ କମ୍ପାନୀ ଅନେକ କଂଟ୍ରାକ୍ଟ ହାସଲ କରିଛି। ଭୁବନୋ୍ବରରେ ମେସର୍ସ ବିଶ୍ଵାଳ ଟ୍ରେଡଲିଙ୍କ ପ୍ରା.ଲି. ଏବଂ ଏହାର ନିର୍ଦେଶକମାନଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଛି। କଲକାତାରେ ବି ଏହି କମ୍ପାନୀର ଜଣେ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଛି। ୮ ପ୍ରତିଶତ କମିସନରେ ଓଡ଼ିଶାର ବିଶ୍ଵାଳ ଟ୍ରେଡଲିଙ୍କ କମ୍ପାନୀ ଅନୀଲଙ୍କ କମ୍ପାନୀକୁ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଜାରି କରିବା​‌ରେ ସମ୍ପୃକ୍ତ ଥିଲେ। ଅନୀଲଙ୍କ କମ୍ପାନୀ ବିଶ୍ଵାଳ ଟ୍ରେଡଲିଙ୍କ କମ୍ପାନୀକୁ କମିସନ ଦେବା ଲାଗି ନକଲି ବିଲ୍‌ ବି ପ୍ରସ୍ତୁତ କରିଥିବା ଇଡି ଅଭିଯୋଗ କରିଛି।

Shrutilipi ad