ଆଗରପଡ଼ା:ସ୍ଥାନୀୟ ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ବେଲଶରପୁର ଗ୍ରାମର ଟୁନା ପାଢ଼ୀଙ୍କ ପୁଅ ଚଢ଼େଇ(୩୦) ଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦୀହାନ ହୋଇ ପଡ଼ିଛନ୍ତି । ପ୍ରାପ୍ତ ସୂଚନା ମୁତାବକ, ଚଢ଼େଇ ଗତ କିଛି ମାସ ହେଲା ହାଇଦ୍ରାବାଦସ୍ଥିତ ଏକ କଂପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଘଟଣାଦିନ ତାଙ୍କ ମୃତ ଶରୀର ଏକ ନାଳରେ ପଡ଼ିଥିବାର ଦେଖି କଂପାନୀ ମାଲିକ ଘରକୁ ଖବର ଦେଇଥିଲେ । ପରିବାର ଲୋକେ ଯାଇ ଶବ ଚିହ୍ନଟ କରି ଘରକୁ ସେଠାରୁ ଆଣିଥିଲେ । ଏଠାରେ ତାଙ୍କ ମୃତ ଶରୀର ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଚଢ଼େଇଙ୍କୁ କେହି ଛାତ ଉପରୁ ଠେଲିଦେଇ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ମଧ୍ୟ ପରିବାର ଲୋକେ ଦାବି କରିଛନ୍ତି ।

