Debi ranjan 2025 07 29 12 29 03

ଏଏସଆଇ ଫଟୋ ବିବାଦ ଓ ଆଇନଶୃଙ୍ଖଳା ବିପର୍ଯ୍ୟୟ : ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି, ଛାତ୍ର ଆନ୍ଦୋଳନ ଡାକରା

ରାଜ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟର ନୂତନ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛି। ବିଶେଷକରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ଘଟଣାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ବିରୋଧରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ପାଇଁ ଡାକରା ଦେଇଛି।

ଅଗଷ୍ଟ ୧ରୁ ଛାତ୍ର ଆନ୍ଦୋଳନ

ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ। ଆସନ୍ତା ଅଗଷ୍ଟ ୧ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ଅଞ୍ଚଳର ଏସପି ଅଫିସ ଏବଂ ନିକଟସ୍ଥ ଥାନା ସମ୍ମୁଖରେ ପ୍ରତିବାଦ କରିବେ ଏବଂ ଏକ ସ୍ମାରକପତ୍ର ପ୍ରଦାନ କରିବେ। ଏହାପରେ କ୍ରାନ୍ତି ଦିବସ, ଅର୍ଥାତ ଅଗଷ୍ଟ ୯ ତାରିଖରେ ହଜାର ହଜାର ଛାତ୍ରଛାତ୍ରୀ ନିଜର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ସେମାନେ କହିଛନ୍ତି।

ଏଏସଆଇ ଫଟୋ ବିବାଦ: ଆଇନ ମନ୍ତ୍ରୀ କ୍ଷମା ମାଗନ୍ତୁ

ବିଜେଡି ମିଡିଆ ସଂଯୋଜକ ଲେନିନ୍ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏଏସଆଇ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ମନ୍ଦିର ଓ ଭୋଗ ମଣ୍ଡପର ଫଟୋ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରାଯିବାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, “ଶ୍ରୀମନ୍ଦିର ଭିତର ଫଟୋ ବାହାରେ ପ୍ରକାଶ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଏକ କେନ୍ଦ୍ରୀୟ ସଂସ୍ଥା କାହାର ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ କଲା?”

ସେ ଆହୁରି ମଧ୍ୟ କହିଛନ୍ତି, “ଯେଉଁ ବିଜେପି ରତ୍ନଭଣ୍ଡାରକୁ ନେଇ ଏତେ ରାଜନୀତି କରୁଥିଲା, ସେହି ସରକାର କ’ଣ ଏଏସଆଇକୁ ଏହି ଅନୁମତି ଦେଇଥିଲେ? ଯଦି ଚଷମାରେ କ୍ୟାମେରା ଲଗାଇ ମନ୍ଦିର ଭିତରକୁ ଯାଇଥିବା ଯୁବକକୁ ଦଣ୍ଡ ମିଳିବ, ତେବେ ଏଏସଆଇ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ?” ଏହି ପ୍ରସଙ୍ଗରେ ରାଜ୍ୟ ଆଇନ ମନ୍ତ୍ରୀ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ, ନଚେତ୍ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଆଇନଶୃଙ୍ଖଳା ପରିସ୍ଥିତି ଓ ଉପବାଚସ୍ପତିଙ୍କ ଚିଠି

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ଅଭିଯୋଗ କରି ଲେନିନ୍ ମହାନ୍ତି ଉପବାଚସ୍ପତିଙ୍କ ଏକ ଚିଠିକୁ ଉଦାହରଣ ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି, “ଉପବାଚସ୍ପତି ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ ଗୋରୁ ଚାଲାଣ, ଖଣି ଲୁଟ୍ ଓ ଠକାମି ବଢ଼ିଚାଲିଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ଯେ ସେ ସତ କଥା କହିଲେ।” 

Shrutilipi ad