33ff792d f7cd 448b 9207 1a657be2a326 2025 07 23 17 41 40

ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସ ଦିଲ୍ଲୀରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ପ୍ରଭାତୀ ପରିଡ଼ା

ରାଜ୍ୟ

ନୂଆଦିଲ୍ଲୀ/ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି। ଶ୍ରୀମତୀ ପରିଡ଼ା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରୀ ଟିମ୍‌ ଓ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଅବଗତ ଅଛନ୍ତି। ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ନେଇ ଶ୍ରୀମତୀ ପରିଡ଼ା ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ମୋ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ଅନ୍ତର୍ଗତ ବଳଙ୍ଗାର ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାରବର୍ଗ ଏବଂ ସମ୍ପର୍କୀୟଙ୍କ ସହ ଦେଖା କଲି। ଏହି ଗସ୍ତ ସମୟରେ, ତାଙ୍କୁ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରୀ ଦଳ ଏବଂ ବିଶେଷଜ୍ଞମାନଙ୍କ ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବଂ ଆଗାମୀ ଦିନରେ ହେବାକୁ ଥିବା ଚିକିତ୍ସା ବିଷୟରେ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ରବିବାର ଦିନ ବଳଙ୍ଗା ଅଞ୍ଚଳର ନାବାଳିକା ପୀଡ଼ିତାଙ୍କୁ ଏମ୍ସ ଦିଲ୍ଲୀରେ ଭେଟିଥିଲେ। ଚିକିତ୍ସାଧୀନ ନାବାଳିକାଙ୍କର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଶନିବାର ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

Shrutilipi ad