ବଳଙ୍ଗା : ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ବଳଙ୍ଗା ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚର ୫ ଜଣିଆ ସ୍ବତନ୍ତ୍ର ଟିମ୍ ତନାଘନା ତଦନ୍ତ ଜାରି ରଖିଛି । ଏହା ପରେ କ୍ରାଇମବ୍ରାଞ୍ଚ ଟିମ ସ୍ପଟକୁ ଯାଇଛି । ଏପଟେ ବଳଙ୍ଗା ଅଞ୍ଚଳର ୩ଟି ପୃଥକ ପୃଥକ ସ୍ଥାନରେ ତଦନ୍ତ ଚଳାଇଛି ପୋଲିସର ୩ଟି ସ୍ବତନ୍ତ୍ର ଟିମ ।
ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଛି । ଦୁଇ ସାଙ୍ଗଙ୍କ ଘରେ ସ୍ପେଶାଲ ଟିମ୍ ତଦନ୍ତ କରୁଛି । ଅନ୍ୟ ଟିମ୍ ଟି ଗାଁର ବିଭିନ୍ନ ଘରେ କରୁଛି ପଚରାଉଚରା । ଘଟଣାସ୍ଥଳରୁ ମିଳିଥିବା ରୁପା ମୁଦି କେଉଁଠୁ ଆସିଲା ଛାନବିନ କରୁଛି ପୋଲିସ । ଏନେଇ ବଳଙ୍ଗା ବଜାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରାଯାଇଛି ।
ନାବାଳିକାଙ୍କୁ ଯେଉଁ ସ୍ଥାନରେ ପୋଡ଼ିଦିଆଯାଇଥିଲା, ସେଠାରୁ ମିଳିଥିଲା ରୁପା ମୁଦି । ଘଟଣାକୁ ୩ ଦିନ ହେଲାଣି । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚାରଉଚରା କରିସାରିଲାଣି ପୋଲିସ । କିନ୍ତୁ ଏଯାଏଁ ପୋଲିସର ହାତ ଖାଲି । ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରୁନି। ଘଟଣା ଉପରେ କଡାକଡ଼ି ନଜର ରଖିଛି ପ୍ରଶାସନ।
କେଉଁଠୁ ଆସିଲେ ୩ଜଣ ଦୁର୍ବୃତ୍ତ ? ସେପଟେ ଦିଲ୍ଲୀ ଏମସରେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ପୀଡ଼ିତାଙ୍କ ଚିକିତ୍ସା । ବର୍ଣ୍ଣସ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବର୍ଣ୍ଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ପୀଡିତା । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି ଏବଂ ସେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ଅଛନ୍ତି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି।

