Arrested 738x430 1

ଦୁର୍ବ୍ୟବହାର ଅଭିଯୋଗ, ଯୁବକ ଗିରଫ

ରାଜ୍ୟ

ଆଗରପଡ଼ା :ବୁଧବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଭଦ୍ରକରୁ ଆଗରପଡ଼ାକୁ ଆସୁଥିବା ଏକ ଯାତ୍ରୀବାହୀ ମିନି ବସରେ ଦୁଇ ଭଉଣୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଆଗରପଡ଼ା ଥାନା ଅନ୍ତର୍ଗତ ମହାନ୍ତିପଡ଼ା ସ୍ଥିତ ବଉଳଢ଼ି ଗ୍ରାମର ରାଜେନ୍ଦ୍ର ସାହୁ(୩୬) ନାମକ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନାଧିକାରୀ ଦେବରାଜ ଜେନା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଏ ସଂପର୍କରେ ଥାନା କେସ ନଂ୧୧୬/୨୫ରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗରୁ ଜଣାପଡ଼ିଛି, ସ୍ଥାନୀୟ ଗୋପିନାଥପୁର ଅଂଚଳର ଦୁଇ ଭଉଣୀ ବସରେ ଭଦ୍ରକରୁ ଆଗରପଡ଼ା ଫେରୁଥିଲେ । ଯୁବତୀ ବସିଥିବା ବସ ସିଟରେ ରାଜେନ୍ଦ୍ର ମଧ୍ୟ ବସିଥିଲେ । ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାରୁ ଏଥିରେ ଅତିଷ୍ଠ ହୋଇ ସେ ଅନ୍ୟ ସିଟକୁ ଉଠିଯାଇ ତାଙ୍କ ଭଉଣୀଙ୍କୁ ଆଣି ସେଇ ସିଟରେ ବସାଇ ଥିଲେ । ମାତ୍ର ତାଙ୍କୁ ମଧ୍ୟ ଅନୁରୂପ ବ୍ୟବହାର ସେ କରିଥିଲେ । ଶେଷରେ ଅନ୍ୟ କିଛି ଉପାୟ ନ ପାଇ ଯୁବତୀ ଘରକୁ ମୋବାଇଲରେ କଲ କରି ଏ ସଂପର୍କରେ ଜଣାଇଥିଲେ । ଏ କଥା ଜାଣିପାରି ରାଜେନ୍ଦ୍ର ଜାମବଣି ଛକରେ ଓହ୍ଲାଇ ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ସହାୟତାରେ ଦୁଇ ଭଉଣୀ ତାଙ୍କୁ ପୁଣି ସେହି ବସରେ ଆଗରପଡ଼ାକୁ ନେଇଆସି ପୋଲିସ ଜିମା ଦେଇଥିଲେ ।