Photo for the news of gramya jungle

ସାମାଜିକ ବନ ପ୍ରକଳ୍ପ ଯୋଜନାକୁ ୪୧ବର୍ଷ ବିତିଲାଣି, ଗ୍ରାମ୍ୟ ଜଙ୍ଗଲ ସଜଡ଼ା ହେବା ପରିବର୍ତ୍ତେ ଉଜୁଡ଼ି ଯାଉଛି

ରାଜ୍ୟ

ଆଗରପଡ଼ା :ବିଭିନ୍ନ କାରଣ ଯେପରିକି ଜନସଂଖ୍ୟା ବୃଦ୍ଧି, ରାସ୍ତା ଓ ଅଟାଳିକା ନିର୍ମାଣ ଆଳରେ ଗ୍ରାମାଂଚଳରେ ଥିବା ଦୀର୍ଘ ବର୍ଷ ର ସବୁଜ ଘଂଚ ବନାନୀ ଧିରେ ଧିରେ ବିଲୁପ୍ତ ହେବାକୁ ବସିଛି । ଫଳରେ ବହୁ ସମୟରେ ପ୍ରାକୃତିକ ଦୃର୍ବିପାକ ଘଟୁଛି । ସେହିପରି ରାସ୍ତା ସଂପ୍ରସାରଣ ଯୋଗୁଁ ଶହଶହ ବୃକ୍ଷ କଟାଯାଉଛି । ଅପରପକ୍ଷରେ ପ୍ରଶାସନ ଓ ବନ ବିଭାଗର କୌଣସି ଅଙ୍ଗୁଶ ନଥିବାରୁ ପ୍ରତିଦିନ ଅବାଧରେ ବେଆଇନ ଭାବରେ ଗଛ କଟା ଚାଲିଛି । ଯାହାକୁ ନେଇ ପରିବେଶ୍‌ବିତ ଉଦ୍‌ବେଗ ପ୍ରକାଶ କରୁଛନ୍ତି । ଗ୍ରାମାଂଚଳରେ ସୁସ୍ଥ ପରିବେଶ ସୃଷ୍ଟି ଓ ଲୋକମାନଙ୍କର ନାନା ବିଧ ସମସ୍ୟାର ସମାଧାନ ପାଇଁ ସରକାର ୧୯୮୪ମସିହାରେ ସାମାଜିକ ବନ ପ୍ରକଳ୍ପ କୁ କାର୍ଯ୍ୟକାରୀ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଚଂଳରେ ଥିବା ବିଭିନ୍ନ ଖୋଲା ସ୍ଥାନରେ ନୂତନ ଘଂଚ ଜଙ୍ଗଲ ସୃଷ୍ଠି କରି ସବୁଜ ବନାନୀ ସୃଷ୍ଟି କରିବା ସହ ଚାଷୀଙ୍କୁ ଉତ୍ସାହିତ କରିବା । ଏହା ସହ ଏହାକୁ ରକ୍ଷଣା ବେକ୍ଷଣ କରି ସୁସ୍ଥ ପରିବେଶ ପ୍ରତି ଜନସଚେତନତା ସୃଷ୍ଟି କରାଇବା । ଯଦ୍ୱାରା ଗ୍ରାମାଂଚଳରେଞ୍ଚବସବାସ କରୁଥିବା ଲୋକଙ୍କ ଆୟ ବୃଦ୍ଧିହେବା ସହ ଜଙ୍ଗଲ ଜାତ ଦ୍ରବ୍ୟ ସଂପର୍କରେ ସେମାନେ ସଚେତନତା ହୋଇ ଏହାକୁ ସୁଚାରୁରୂପେ ବିକ୍ରୟକରି ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିପାଇଁ ପଡିଆ ଜମି,ରାସ୍ତା କଡ ଆଦିରେ ବୃକ୍ଷ ରୋପଣ ପାଇଁ ସରକାରଙ୍କ ତରଫରୁ ଚାରା ରୋପଣ ସହ ଏହାର ଉପଯୁକ୍ତ ରକ୍ଷଣା ବୋକ୍ଷଣ ପାଇଁ ଲୋକଙ୍କୁ ପ୍ରଶିଷଣ ଦିଆଯିବାର ବ୍ୟବସ୍ଥା ହୋଇଥିଲା । ଏହାକୁ ଗୁରୁତ୍ୱ ଦେବାପାଇଁ ପ୍ରତି ପଂଚାୟତରେ ବନ କମିଟି ଗଠନ କରାଯାଇ ଗ୍ରାମାଂଚଳର ବ୍ୟକ୍ତି ବିଶେଷ ମାନଙ୍କୁ ଏହାର ଦାୟିତ୍ୱ ଅର୍ପଣ କରା ଯିବାର ବ୍ୟବସ୍ଥା କରାଯାଇଥିଲା । ଏହା ଏକ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ଯୋଜନା ହୋଇଥିବା ବେଳେ ଯୋଜନାକୁ ୪୧ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ବନ୍ତ ବ୍ଳକରେ ଏହାର ସୁଫଳ ମିଳିପାରିନାହିଁ । ତେଣୁ ଏହାର ସଫଳ ରୂପାୟନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ବ୍ଲକର ବିଭିନ୍ନ ଖୋଲା ସ୍ଥାନରେ ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଉତ୍ପନ୍ନ ସହ ଏହାର ରୋପଣ କରିବାପାଇଁ ଦାବି ହେଉଛି । କେତେକ ସ୍ଥାନରେ ବହୁ ବର୍ଷ ପୂର୍ବେ ରାସ୍ତା ପାଶ୍ୱର୍ ଓ କେନାଲ ବନ୍ଧ ସହ ଗ୍ରାମାଂଚଳରେ ସୃଷ୍ଟି ହୋଇଥିବା ଗ୍ରାମ୍ୟ ଜଙ୍ଗଲରେ ରୋପଣ କରାଯାଇଥିବା ବୃକ୍ଷର ଉପଯୁକ୍ତ ଯତ୍ନ ନିଆନଯିବାରୁ ତାହା ଦିନକୁ ଦିନ ନଷ୍ଟ ହେବାକୁ ବସୁଛି । ଅନ୍ୟପକ୍ଷରେ ମଧ୍ୟ କିଛି ବର୍ଷ ପୂର୍ବେ ବିଭିନ୍ନ ପଂଚାୟତରେ ଥିବା ବିଦ୍ୟାଳୟ ମାନଙ୍କରେ ଫଳ ବୃକ୍ଷମାନ ରୋପଣ କରାଯାଇଥିଲେ ମଧ୍ୟ ଏହାର ଉପଯୁକ୍ତ ଯତ୍ନ ନିଆଯାଇନଥିବାରୁ ଗୋଟିଏକି ଫଳ ଚାରା ନଥିବାର ଦେଖାଯାଇଛି । ବର୍ତମାନ ସରକାରୀ ଜାଗାକୁ ବହୁ ବ୍ୟକ୍ତି ଜବରଦଖଲ ନିଜ ଅଧିନରେ ରଖି ତାହା ଉପରେ ବାସଗୃହ ନିର୍ମାଣ କରିବାରେ ଲାଗିଛନ୍ତି । ଫଳରେ ସରକାରୀ ଜମି ଦିନକୁ ଦିନ ଲୋପ ପାଇବାରେ ଲାଗିଛି । ତେଣୁ ଆଗାମୀ ଦିନରେ ବିପଦ ଆସିବା ପୁର୍ବରୁ ସତର୍କତା ଅବଲମ୍ବନ ପାଇଁ ପ୍ରତ୍ୟେକ ବ୍ଲକରେ ସମାଜିକ ବନ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଉତ୍ପାଦନ କେନ୍ଦ୍ରମାନ ନିର୍ମାଣ କରି ଫାଙ୍କା ସ୍ଥାନ ମାନଙ୍କରେ ଚାରା ରୋପଣ କରିବା ସହ ଏହାର ଉପଯୁକ୍ତ ଯତ୍ନ ନେଇ ସବୁଜ ବନାନୀ ସୃଷ୍ଟି କରିବାକୁ ବୁଦ୍ଧିଜୀବୀଙ୍କ ସମେତ ପରିବେଶବିତ୍‌ଙ୍କ ପକ୍ଷରୁ ଦାବି ହେଉଛି ।

Shrutilipi ad