ଆଗରପଡ଼ା :ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁନଥିବା ବନ୍ତ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ପାରିପାଶ୍ୱିର୍କ ଅବସ୍ଥାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟ ଠାରେ । ଉକ୍ତ ବିଦ୍ୟାଳୟର ଗତ ୧୫ ଦିନ ତଳେ ଏକ ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଗଳିପଡ଼ିଥିବାର ଦେଖିବାକୁ ମିଳିଥିଲା । ସୋଭାଗ୍ୟବସତଃ ଶ୍ରେଣୀ ଗୃହରେ କେହିବି ପିଲା ଉପସ୍ଥିତ ନଥିବାରୁ ଏକ ସୁନିଶ୍ଚିତ ବିପଦରୁ ରକ୍ଷା ମିଳିଯାଇଥିଲା । ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଖଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିବା ପରେ ଏହାର ମରାମତି କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିଦ୍ୟାଳୟର ସମ୍ମୁଖ ଭାଗରେ ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏବଂ ବିଦ୍ୟାଳୟ ସମ୍ମୁଖ ଭାଗରେ ଯାଇଥିବା ରାସ୍ତା ବିଦ୍ୟାଳୟ ପରିସରରୁ ଅଧିକ ଉଚ୍ଚତାରେ ଥିବାରୁ ବର୍ତ୍ତମାନ ବର୍ଷୠତୁ ଚାଲୁଥିବାରୁ ପାଣି ବିଦ୍ୟାଳୟ ପରିସରକୁ ପଶୁଥିବା ବେଳେ ବିଦ୍ୟାଳୟ ପରିସରର ପାଣି ମଧ୍ୟ ନିଷ୍କାସନ ହୋଇ ନପାରି ଜମି ରହି ପିଲାଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି କରୁଛି ।
ଆଗାମୀ ଦିନରେ ଏହା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇବା ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି । ସେହିପରି ବିଦ୍ୟାଳୟ ପରିସରରେ ବହୁ ପୁରୁଣା ଗଛ ଥିବା ବେଳେ ଏହା ବର୍ଷ ବର୍ଷ ଧରି କଟା ଯାଉନଥିବାରୁ ବର୍ତ୍ତମାନ ଉକ୍ତ ଗଛ ବିଦ୍ୟାଳୟ ଶ୍ରେଣୀ ଗୃହ ସମେତ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ବିଦ୍ୟାଳୟ ଗୃହ ସମେତ ପିଲାଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ସ୍ଥାନୀୟ ସରପଂଚ,ପରିଚାଳନା କମିଟି ସଭାପତି,ସଭ୍ୟ/ସଭ୍ୟା ଓ ଅଭିଭାବକଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ,ତହସିଲଦାର,ବନ୍ତ,ରାଜସ୍ୱ ନିରୀକ୍ଷକ ଓ ଫରେଷ୍ଟର,ଆଗରପଡ଼ା,ଗୋଷ୍ଠୀ ଶିକ୍ଷାଧିକାରିଣୀ,ବନ୍ତ ପ୍ରମୁଖଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିବା ଜଣାପଡ଼ିଛି । ତେଣୁ ବିଦ୍ୟାଳୟ ସମେତ ପିଲାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଉକ୍ତ ଅଭିଯୋଗ ଉପରେ ବିଭଗୀୟ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକଙ୍କ ସମେତ ଶିକ୍ଷାବିତ୍ମାନେ ଦାବି କରିଛନ୍ତି । ଏଠାରେ ପ୍ରକାଶ ଥାଉକି;ଚଳିତ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟରେ ସମୁଦାୟ ୧୩୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିଶୁ ବାଟିକା ସମେତ ୧ମ ରୁ ୮ମ ଶ୍ରେଣୀ ନିମନ୍ତେ ୫ଟି ଶ୍ରେଣୀ ଗୃହ ଉପଲବ୍ଧ ଅଛି । ତେଣୁ ଶିଶୁ ବାଟିକା ଓ ୫ମ ଶ୍ରେଣୀ ପିଲା ଗୋଟିଏ ଗୃହ,୧ମ,୨ୟ ଓ ୪ର୍ଥ ଶ୍ରେଣୀର ପିଲା ମିଳାମିଶା ହୋଇ ଆଉ ଗୋଟିଏ ଗୃହରେ ଶିକ୍ଷାଲାଭ କରୁଛନ୍ତି । ଶ୍ରେଣୀ ଗୃହ ସମସ୍ୟାରୁ ଏହିପରି ଶିକ୍ଷାଦାନ ଚାଲୁଛି । ଯାହାକି ପିଲାଙ୍କ ଗୁଣାତ୍ମକ ଶିକ୍ଷାଲାଭ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଏହିପରି ସ୍ଥଳେ ବର୍ଷବର୍ଷ ଧରି ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟାର ସମାଧାନ କରାଯାଉନଥିବାରୁ ଏହା ପିଲାଙ୍କ ଜିବନ ପ୍ରତି ବିପଦ ସୃଷ୍ଟି କରୁଛି ।

