Photo2 for the news of halalangala

ସମୟଚକ୍ରରେ ହଜିଯାଉଛି ହଳଲଙ୍ଗଳ, ଚାଷ ସମୟରେ ଆଉ ଶୁଭୁନି ହୁଳହୁଳି ଓ ହଳିଆ ଗୀତ

ରାଜ୍ୟ

ଆଗରପଡ଼ା :କଥାରେ ଅଛି; ‘ଚାଷ କାମ ଯାହାର,କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହର’ । ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଚଂଳ ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ । ସମୟର ପରିବର୍ତ୍ତନ ମଧ୍ୟରେ ଧିରେ ଧିରେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ କରୁଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଅଧିକ ଉପାର୍ଜନ ପାଇଁ ଉଦ୍ୟମ ଆରମ୍ଭହେଉଥିବା ବେଳେ ଏହା ଏବେ ପୋଥି ବାଇଗଣ ପାଲଟିଯିବ ଏହି ଆଶଙ୍କା ପ୍ରକାଶ ପାଉଛି ।ବନ୍ତ ଅଂଚଳର ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ଏହି ଭିତରେ ଚାଷ କାମ ବାଟବଣା ହେଉଥିବା ବେଳେ ଚାଷର ଉପାୟ ମଧ୍ୟ ବଦଳିବାରେ ଲାଗିଛି । ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବା ବେଳେ ପୂର୍ବଭଳି ଆଉ ରୁଆ, ବୁଣା ବେଳେ ଚାଷୀର ହୁଳହୁଳି ଓ ହଳିଆ ଗୀତ ମଧ୍ୟ ଆଉ ଶୁଣିବାକୁ ମୁଳୁନାହିଁ । ପୂର୍ବରୁ ଚାଷୀ ଜମିରେ ଚାଷ ପାଇଁ ହଳ, ଲଙ୍ଗଳ ବ୍ୟବହାର କରୁଥିଲେ । ଏବେ ଚାଷ ପାଇଁ ଟ୍ରାକ୍ଟର ଏବଂ ପାୱର ଟିଲର୍ ବ୍ୟବହାର ହେଉଛି । ପୂର୍ବରୁ ମାସ ମାସ ଧରି ଚାଲୁଥିବା ଚାଷ କାମ ଏବେ କମ୍ ଦିନରେ ଶେଷ ହେଉଛି । ପ୍ରତି ଗାଁରେ ପୂର୍ବେ ଘରେ ଘରେ ଜମି ଚାଷ ପାଇଁ ବଳଦ, ପୋଢ ପାଳନ କରାଯାଉଥିଲା । ଏପରିକି କିଛି ଧନୀ ଚାଷୀ ମଧ୍ୟ ଗାଈ ଓ ବଳଦଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ । ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥିଲା । ହଳପାଇଁ ଚାଷୀ କୁସୁମ, ଫାଶୀ, ବାବୁଲ, କାଠର ଲଙ୍ଗଲ, ଢାମଣ ଆଦି ଉପକରଣ ରଖୁଥିଲା । କିଛି ଚାଷୀ ମାମୁଁ ଭଣଜା ବଳଦକୁ ଏକାଠି କରି ହଳ କାର୍ଯ୍ୟରେ ଲଗାଉଥିଲେ । ପ୍ରତିବର୍ଷ ପ୍ରଥମ ବର୍ଷା ପରେ ଚାଷୀମାନେ ବଳଦ ବିକାକିଣା କରିବା ସହିତ ଅନ୍ୟଗ୍ରାମରୁ ବଳଦ କିଣି ଆଣୁଥିଲେ । ମହାଲକ୍ଷ୍ମୀ ସ୍ନାନ ଦିନ ଭୋର ସମୟରେ ତଳିଘଣା ପରେ ପୂଜାର୍ଚ୍ଚନା କରି ରୁଆ କାର୍ଯ୍ୟ ଆରମ୍ଭକରୁଥିଲା ଚାଷୀ । ହଳ ଧରି ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା । ମହିଳାମାନେ ହୁଳହୁଳି ଦେବା ସହ ମିଳିତ ଭାବେ ଗୀତ ଗାଉଥିଲେ । ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲିଥିବାର ସଂକେତ ମିଳୁଥିଲା । ଗୋଟିଏ ଜମିରେ ମହିଳା ଗୀତ ଗାଇବା ଆରମ୍ଭ କଲେ ଅନ୍ୟ ଜମିର ମହିଳା ତାହା ଅନୁସରଣ କରୁଥିଲେ । କିନ୍ତୁ ସମୟ ଚକ୍ରରେ ହଜି ଯାଉଛି ସଂସ୍କାର ଓ ଚାଷର ପ୍ରଣାଳୀ । ସେହିପରି ଚାରଣ ଭୂମିର ଅଭାବ ଯୋଗୁଁ ଗୋ ସମ୍ପଦ ମଧ୍ୟ ଲୋପ ପାଇବାକୁ ବସିଲାଣି । ଯଦ୍ୱାରା ହଳ ରଖିବା ବନ୍ଦ ମଧ୍ୟ ହୋଇଗଲାଣି । କହିବାକୁ ଗଲେ ଆଧୁନିକତ୍ୱର ପରିଭାଷା ମଧ୍ୟରେ ହଜିବାକୁ ଗଲାଣି ପୁରୁଣା ସଂସ୍କାର ଓ ତା ମଧ୍ୟରେ ହଜିଗଲାଣି ଚାଷ ଓ ଚାଷର ପ୍ରଣାଳୀ ।

Shrutilipi ad