ଆଗରପଡ଼ା :ବନ୍ତ ବ୍ଳକର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି ବେଆଇନ୍ ପାଥୋଲାବ୍ ପରୀକ୍ଷାଗାର କାମକରୁଛି । କିନ୍ତୁ ବ୍ଳକର କେତୋଟି ପାଥୋଲାବ୍ ଲାଇସେନ୍ସ ପାଇଛନ୍ତି ତାହା ଅଜଣା ଥିବା ବେଳେ ପାଖାପାଖି ୧୦ରୁ ଉର୍ଦ୍ଧ ବେଆଇନ୍ ଭାବେ ଚାଲିଥିବା ଅଭିଯୋଗ ହେଉଛି । ବର୍ଷ ତମାମ ବେଆଇନ ଭାବେ ଚାଲିଥିବା ଏହି ପାଥୋଲାବ୍ ଗୁଡିକ ପ୍ରତି ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ଥିବାରୁ ତଦନ୍ତ ହେଉନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥଳେ ସରକାର ରାଜସ୍ୱ ହରାଉଥିବା ବେଳେ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେବା ସହ ବେଳେ ବେଳେ ପ୍ରାଣ ମଧ୍ୟ ହରାଉଛନ୍ତି । ପୁଣି ଅଧିକାଂଶ ରୋଗୀଙ୍କର ରିପୋର୍ଟ ତ୍ରୁଟି ପୂର୍ଣ୍ଣ ରହୁଥିବାରୁ ରୋଗ ଭଲ ହେବା ପରିବର୍ତ୍ତେ ବଢ଼ି ଚାଲିଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ୫ରୁ ୧୦ହଜାର ଟଙ୍କା ଖର୍ଚ୍ଚ କଲେ ବିଭିନ୍ନ ଅନାମଧେୟ ସଂସ୍ଥାରୁ ଟେକ୍ନିସିୟାନ ସାର୍ଟିଫିକେଟ ହାସଲ କରାଯାଇ ପାରୁଛି । ଏବଂ ସାର୍ଟିଫିକେଟ ହାସଲ ପରେ ବ୍ଲକ ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏକ ଭଡାଘରେ ହେଉ ଅବା କ୍ୟାବିନ ଖଣ୍ଡେ ପକାଇ ପାଥୋଲାବ ଫଳକଟିଏ ମାରି ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରାଯାଉଛି । ବ୍ୟବହାରିକ ଓ ବୃତ୍ତିଗତ ଜ୍ଞାନ ଅଭାବରୁ ରୋଗୀ ମାନେ ଆର୍ôଥକ ଦୃଷ୍ଟିରୁ ଶୋଷିତ ହୋଇ ଚାଲୁଛନ୍ତି । ଅନ୍ୟ ପକ୍ଷେ ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ଯୋଗୁଁ ବ୍ଲଡ଼ ଗ୍ରୁପ ଚିହ୍ନଟ ବେଳେ ଜଣେ ବ୍ୟକ୍ତିର ବ୍ଲଡ଼ ଗ୍ରୁପ ମଧ୍ୟ ଭିନ୍ନହୋଇଯାଉଥିବାର ଅଭିଯୋଗ ହେଉଛି । ପାଥୋଲାବ୍ କରିବା ସହ ସପ୍ତାହର ବିଭିନ୍ନ ଦିନରେ ବିଭିନ୍ନ ଅଂଚଳରୁ ବିଭିନ୍ନ ବିଭାଗର ଡାକ୍ତର ଡାକି କିଛି ପାଥୋଲାବ ମାଲିକ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ହେଉଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ତା ଅଧିନରେ ଥିବା ୪ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଗଢି ଉଠିଥିବା ପାଥୋଳାବ୍ ଗୁଡ଼ିକରେ ଏଭଳି ଘଟଣା ବିଭିନ୍ନ ସମୟରେ ଘଟି ଚାଲିଥିଲେ ମଧ୍ୟ ଅଭିଯୋଗ ଉପରେ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନଥିବାରୁ ସେମାନଙ୍କ ମନମାନୀ ଦିନ କୁ ଦିନ ବଢି ଚାଲିଛି । ଏ ନେଇ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳର କିଛି ଜନସାଧାରଣଙ୍କୁ ଯୋଗାଯୋଗ କରିବାରୁ କେଉଁ ପାଥୋଲାବ ବେଆଇନ ଓ କିଏ ପଞ୍ଜିକୃତ ରୋଗୀ ଜାଣିବେ କିପରି ବୋଲି ପ୍ରକାଶ କରିଛନ୍ତି । ତେଣୁ ସ୍ୱାସ୍ଥ୍ୟବିଭାଗ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ନଚେତ ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ତା ଅଧିନରେ ଥିବା ୪ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଗଢି ଉଠିଥିବା ବେଆଇନ ପାଥୋଲାବ ଉପରେ ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସ୍ୱାସ୍ଥ୍ୟସେବାରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ପାଥୋଲାବ ଖୋଲିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଥିବା ବେଳେ ବିନା କାଗଜକଲମରେ ଏହା ଚାଲିବା କେତେଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

