ଆଗରପଡ଼ା :କେହି ଦୁବୃର୍ତ୍ତ ଏକ ଟେଣ୍ଟ ହାଉସରେ ନିଆଁ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଭିଯୋଗ ପାଇବା ପରେ ଥାନାରେ ୧୦୮/୨୫ରେ ଏକ ମାମାଲା ରୁଜ୍ଜୁ କରି ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନା ସନ୍ଧାନୀ କୁକୁର ଓ ସାଇଁଣ୍ଟିଫିକ ଟିମ ସହାୟତାରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ରାଉତରାପୁର ଗ୍ରାମର ଭକ୍ତହରି ସାହୁ ଏକ ଟେଣ୍ଟ ହାଉସ କରି ଗୁଜୁରାଣ ମେଣ୍ଟାଉ ଥିଲେ । ଘଟଣାର ବିଳମ୍ବିତ ରାତିରେ ଟେଣ୍ଟ ହାଉସ ଜଳୁ ଥିବାର ଲୋକେ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଂଚି ଦମକଳ ବାହିନୀ ନିଅର୍ାଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ସମସ୍ତ ସାମଗ୍ରୀ ପୋଡ଼ି ଯାଇଥିଲା । ଭକ୍ତହରିଙ୍କ ସହ ପାରିବାରିକ ଗଣ୍ଡଗୋଳ ଲାଗି ଥାନା ଓ କୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା । ଏହି ଅଘଟଣ ଘଟିବା ପୂର୍ବରୁ ଟେଣ୍ଟ ହାଉସକୁ ପୋଡ଼ି ଦେବେ ବୋଲି ମଧ୍ୟ ଧମକ ମିଳିଥିଲା । ତେଣୁ ଟେଣ୍ଟ ହାଉସକୁ ନିଆଁ ଲଗାଇ ପୋଡ଼ି ଦିଆଯାଇଛି ବୋଲି ସନ୍ଦେହ କରାଯାଉଛି । ତେବେ ତଦନ୍ତ ଶେଷ ହେବାପରେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ।

