5fab8ef0 ac15 49af 9ab3 1f71ae389277 2025 07 07 17 56 29

ଆତ୍ମସମର୍ପଣ କଲେ ୨ ମହିଳା କ୍ୟାଡରଙ୍କ ସମେତ ୩ ହାର୍ଡକୋର ମାଓବାଦୀ

ରାଜ୍ୟ

ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ।
ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ। ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ। ଲାଲବାହିନୀର ଝାଡଖଣ୍ଡ- ଛତିଶଗଡ଼ କରିଡରକୁ ପୁନଃ ସକ୍ରିୟ କରିବା ଦିଗରେ ଏମାନେ କାମ କରୁଥିଲେ। ଅତୀତରେ ଘଟିଥିବା ଏକାଧିକ ମାଓ କାର୍ଯ୍ୟକଳାପରେ ଏମାନଙ୍କ ସମ୍ପୃକ୍ତି ଥିବା ଆଇଜି ସୂଚନା ଦେଇଛନ୍ତି।
ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହେବା ସାଙ୍ଗକୁ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବୀତସ୍ପୃହ ହୋଇ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ତିନି ମାଓବାଦୀ। ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଥିବା ସେମାନେ କହିଛନ୍ତି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ବାଲିଗୁଡା ଥାନା ଅଞ୍ଚଳରେ ପୁଲିସ ସହିତ ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲାରେ ଲଗାତାର ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ଏବଂ ବର୍ତ୍ତମାନ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୫୦ ତଳକୁ ଖସି ଆସିଥିବା ଆଇଜି ପ୍ରକାଶ କରିଛନ୍ତି। ଏ ଅବସରରେ, ହିଂସା ତ୍ୟାଗ କରି ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ସହିତ ସରକାରଙ୍କ ଥଇଥାନ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ଆହ୍ବାନ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ହରିଶ ବି ସି ଏବଂ ୧୨୭ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ବର୍ମା ଉପସ୍ଥିତ ଥିଲେ।

Shrutilipi ad