Ypqzmalskdjfhgtu 2025 07 06 07 23 23 (1)

ପହଲଗାମ ଆକ୍ରମଣ ନେଇ ବିଷ ଉଗାଳିଲା ପାକିସ୍ତାନ

ଦେଶ - ବିଦେଶ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପହଲଗାମ ଆକ୍ରମଣକୁ ନେଇ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାରତ ଉତ୍ତେଜନା ଏବଂ ଶତ୍ରୁତାପୂର୍ଣ୍ଣ ମନୋଭାବ ବଢ଼ାଉଛି ଏବଂ ଆଞ୍ଚଳିକ ଶାନ୍ତିକୁ  ନଷ୍ଟ କରିବା ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବ୍ୟବହାର କରୁଛି। ଅଜରବୈଜାନରେ ଅର୍ଗାନାଇଜେସନ୍ ଅଫ୍ ଇକୋନୋମିକ କୋଅପରେସନ୍ (ଇସିଓ) ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ସରିଫ୍ ଆତଙ୍କବାଦୀ ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ସହ ଭାରତ ଉପରେ ଦୋଷ ଲଦିବାକୁ ପ୍ରୟାସ କରିଛନ୍ତି। ଅପରେସନ ସିନ୍ଦୂର ସମୟରେ ଅଜରବୈଜାନ ପାକିସ୍ତାନକୁ ସମର୍ଥନ କରିଥିଲା । ସରିଫ୍‌ ପୁଣି ଥରେ କାଶ୍ମୀରକୁ ଟାର୍ଗେଟ କରିବା ସହ ଏବେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ଅଭିଯୋଗ କରିଛନ୍ତି।    ସେହିପରି   ଗାଜା ଓ ଇରାନରେ ନିରୀହ ଜନତାଙ୍କୁ ଟାର୍ଗେଟ୍‌ କରି ହେଉଥିବା ଆକ୍ରମଣ ପାଇଁ ଇସ୍ରାଏଲକୁ ସରିଫ୍‌ ନିନ୍ଦା କରିଛନ୍ତି।  ଉଲ୍ଳେଖଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଭାରତୀୟ ପର୍ଯ୍ୟଟକ ଏବଂ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା।  ପାକିସ୍ତାନୀ ଆତଙ୍କବାଦୀମାନେ ଏହି ବର୍ବର କାଣ୍ଡ ଘଟାଇବାର କିଛିଦିନ ପରେ ଭାରତ  ଅପରେସନ ସିନ୍ଦୂର ଅଧୀନରେ ପାକ୍‌ ସ୍ଥିତ ୯ଟି ପ୍ରମୁଖ ଆତଙ୍କୀ ଆଡ଼ା ଧ୍ବଂସ  କରିଥିଲା।

Shrutilipi ad