ଆଗରପଡ଼ା :କେନ୍ଦ୍ରରେ ବିଜେପି ସରକାରଙ୍କ ବହୁ ଆକାଂକ୍ଷିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଂଚଳରେ କାର୍ଯ୍ୟକାରୀ ହୋଇପାରୁନି । ବନ୍ତ ବ୍ଲକ ଅଂଚଳବାସୀଙ୍କ ସୌରଶକ୍ତି ମାଧ୍ୟମରେ ମାଗଣା ବିଜୁଳି ପାଇବାର ସ୍ୱପ୍ନ ଧୀରେ ଧୀରେ ମିଳାଇବାରେ ଲାଗିଛି । ଦାୟିତ୍ୱରେ ଥିବା ବିଦ୍ୟୁତକରଣ କମ୍ପାନୀର ଏଥିପ୍ରତି ଅନାଗ୍ରହ ଓ ବେସରକାରୀ ସଂସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ, ଭରସା ପାଉ ନଥିବାରୁ ଏହି ଯୋଜନା ପ୍ରାୟ ସବୁ ଅଂଚଳରେ ଆଗକୁ ବଢ଼ି ପାରୁନି । ଫଳରେ ଡବଲ ଇଂଜିନ ସରକାର ସତ୍ତ୍ୱେ ଏହି କେନ୍ଦ୍ରୀୟ ଯୋଜନା ବନ୍ତ ବ୍ଲକ ଅଂଚଳରେ ବିଫଳ ହୋଇଛି । ଏହି ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭଲ ସବସିଡ଼ି ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ନିଜ ନିଜ ଘର ଉପରେ ସୌର ପ୍ୟାନେଲ ବସାଇ ଅଳ୍ପ ଅର୍ଥ ବ୍ୟୟରେ ମାଗଣାରେ ବିଦ୍ୟୁତ ଶକ୍ତି ପାଇପାରିବେ । ଏହା ଦ୍ୱାରା ବିଜୁଳି ସଂଚୟ ଖର୍ଚ୍ଚ କମ୍ ଓ ଅନ୍ୟାନ୍ୟ ବହୁ ସୁବିଧା ରହିଛି । ସରକାରଙ୍କ ପକ୍ଷରୁ ଏ ନେଇ ବିଭିନ୍ନ ସମୟରେ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି ଓ କେତେକ ଆଗ୍ରହୀ ବ୍ୟକ୍ତି ଏଥିପାଇଁ ନାମ ପଞ୍ଜିକରଣ କରିଛନ୍ତି । ମାତ୍ର ହାତ ଗଣତି ଲୋକ ସୌର ପ୍ୟାନେଲ ବସାଇଛନ୍ତି । ଏହି ଯୋଜନା କୁ ସଫଳ କରିବା ପାଇଁ ବିଦ୍ୟୁତ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି ହେଲେ କମ୍ପାନୀ ପକ୍ଷରୁ ଆଗ୍ରହୀ ଗ୍ରାହକଙ୍କୁ ଉକ୍ତ ଯୋଜନାର ସଫଳ ରୂପାୟନ କିପରି କରାଯାଇପାରିବ ତାହାର ସୂଚନା ଠିକ୍ ଭାବେ ଦିଆଯାଉନଥିବା ଅଭିଯୋଗ ହେଉଛି । ସରକାରୀ ନିୟନ୍ତ୍ରିତ ସଂସ୍ଥା ଆଗ୍ରହୀ ନଥିବା ବେଳେ ମାଳ ମାଳ ବେସରକାରୀ ସଂସ୍ଥା କିନ୍ତୁ ଏହି ଯୋଜନା ପାଇଁ ଆଗେଇ ଆସୁଛନ୍ତି । କିନ୍ତୁ ସେମାନେ ଲୋକଙ୍କୁ ସବସିଡ଼ି ବାବଦରେ ଯେତେ ବୁଝାଇଲେ ବି ସାଧାରଣ ଲୋକଙ୍କ ଭରସା ଜିତି ପାରୁନଥିବା ଜଣାପଡ଼ିଛି । ବିନା ମୂଲ୍ୟରେ ସୂର୍ଯ୍ୟାଲୋକରୁ ବିଦ୍ୟୁତ ଉତ୍ପାଦନ ପାଇଁ ୨୦୨୪ ଫେବ୍ରୁଆରି ୨୯ ତାରିଖରେ ଦେଶରେ କେନ୍ଦ୍ର ସରକାର ଏହି ଯୋଜନା ପ୍ରଣୟନ କରିଥିଲେ । ଲକ୍ଷ୍ୟ ଥିଲା ବର୍ଦ୍ଧିତ ବିଦ୍ୟୁତ୍ ବିଲ୍ ଚାପରୁ ଲୋକଙ୍କୁ ମୁକ୍ତ କରିବା ସହ ଅଧିକ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା । ଏହି ଯୋଜନାରେ ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯାଉଛି । ଏହା ସହିତ ଉକ୍ତ ଯୋଜନାକୁ ଆହୁରି ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ୨୦୨୬-୨୭ଅର୍ôଥକ ବର୍ଷ ପାଇଁ ୭୫ ହଜାର ୨୧ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି ।
ଏହି ଯୋଜନାରେ ଯେଉଁମାନେ ସୋଲାର ପ୍ୟାନେଲ ଲଗାଇବେ, ସେମାନଙ୍କ ପାଇଁ ସବସିଡ ସୁବିଧା ମଧ୍ୟ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବ୍ସିଡି ଅର୍ଥ ବହନ କରୁଛନ୍ତି । ଆବେଦନକାରୀ ପିଏମ ସୂର୍ଯ୍ୟଘର ପୋର୍ଟାଲରେ ଯାଇ ଆବେଦନ କରିପାରିବେ । ଟିପିଏନଓଡିଏଲ ତତ୍ତ୍ୱାବଧାନରେ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଜିଲ୍ଲାରେ ଏହାକୁ ନେଇ ବିଦ୍ୟୁତ୍ ଗ୍ରାହକଙ୍କୁ ଯେଉଁଭଳି ସଚେତନ କରାଯିବା କଥା ତାହା ହେଉନି । ଫଳରେ ସୂର୍ଯ୍ୟଘର ଯୋଜନାର ସଫଳ ରୁପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିବା ଏବଂ ମାଗଣା ବିଜୁଳିକୁ ପ୍ରସଙ୍ଗ କରି ବିରୋଧୀ ଦଳ ବାରମ୍ବାର ସମାଲୋଚନା କରିବା ସତ୍ତ୍ୱେ କାହିଁକି ଏହି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ ସେଥିରେ ପ୍ରଶ୍ନ ଉଠିଛି । ସୌରଶକ୍ତି ମାଧ୍ୟମରେ ବିଜୁଳି ଉତ୍ପାଦନ କଲେ ନାନା ପ୍ରକାର ସୁବିଧା ନିଜ ପାଇଁ ଏବଂ ପରିବେଶ ପାଇଁ ମିଳିଥାଏ । ମାତ୍ର ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଲୋକେ ସୌରପ୍ରକଳ୍ପ ସ୍ଥାପନ କରିବାକୁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

