ସ୍କୁଲ ଛାତରୁ ଗଳିଲା ପ୍ଲାଷ୍ଟର, ସୁନିଶ୍ଚିତ ବିପଦରୁ ବର୍ତ୍ତିଲେ ଛାତ୍ରଛାତ୍ରୀ

ରାଜ୍ୟ

ଆଗରପଡ଼ା :ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁନଥିବା ବନ୍ତ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ପାରିପାଶ୍ୱିର୍କ ଅବସ୍ଥାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟ ଠାରେ । ସୂଚନା ଅନୁଯାୟୀ ସୋମବାର ଉକ୍ତ ବିଦ୍ୟାଳୟର ଏକ ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଗଳିପଡ଼ିଥିବାର ଦେଖିବାକୁ ମିଳିଥିଲା । ସୋଭାଗ୍ୟବସତଃ ଶ୍ରେଣୀ ଗୃହରେ କେହିବି ପିଲା ଉପସ୍ଥିତ ନଥିବାରୁ ଏକ ସୁନିଶ୍ଚିତ ବିପଦରୁ ରକ୍ଷା ମିଳିଯାଇଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀଙ୍କ ସୂଚନା ଅନୁଯାୟୀ ସୋମବାର ଶ୍ରେଣୀ ଗୃହ ଖୋଲିବା ବେଳକୁ ସେ ଉକ୍ତ ଗୃହର ଛାତରୁ ପ୍ଲାଷ୍ଟର ଗୁଡ଼ିକ ଗଳିପଡ଼ିଥିବା ଦେଖିବାକୁ ପାଇଥିଲେ । ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ହେତୁ ଛାତରେ ପାଣି ଜମି ରହିବା ଦ୍ୱାରା ଏହିପରି ହୋଇଥିବା ଜଣାପଡ଼ିଛି । ସେହିପରି ଉକ୍ତ ବିଦ୍ୟାଳୟର ସମ୍ମୁଖ ଭାଗରେ ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏବଂ ବିଦ୍ୟାଳୟ ସମ୍ମୁଖ ଭାଗରେ ଯାଇଥିବା ରାସ୍ତା ବିଦ୍ୟାଳୟ ପରିସରରୁ ଅଧିକ ଉଚ୍ଚତାରେ ଥିବାରୁ ବାହାର ପାଣି ବିଦ୍ୟାଳୟ ପରିସରକୁ ପଶୁଥିବା ବେଳେ ବିଦ୍ୟାଳୟ ପରିସରର ପାଣି ମଧ୍ୟ ନିଷ୍କାସନ ହୋଇ ନପାରି ଜମି ରହି ପିଲାଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି କରୁଛି । ଆଗାମୀ ଦିନରେ ଏହା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇବା ନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି । ଚଳିତ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟରେ ସମୁଦାୟ ୧୩୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିଶୁ ବାଟିକା ସମେତ ୧ମ ରୁ ୮ମ ଶ୍ରେଣୀ ନିମନ୍ତେ ୫ଟି ଶ୍ରେଣୀ ଗୃହ ଉପଲବ୍ଧ ଅଛି । ତେଣୁ ଶିଶୁ ବାଟିକା ଓ ୫ମ ଶ୍ରେଣୀ ପିଲା ଗୋଟିଏ ଗୃହ,୧ମ,୨ୟ ଓ ୪ର୍ଥ ଶ୍ରେଣୀର ପିଲା ମିଳାମିଶା ହୋଇ ଆଉ ଗୋଟିଏ ଗୃହରେ ଶିକ୍ଷାଲାଭ କରୁଛନ୍ତି । ଶ୍ରେଣୀ ଗୃହ ସମସ୍ୟାରୁ ଏହିପରି ଶିକ୍ଷାଦାନ ଚାଲୁଛି । ଯାହାକି ପିଲାଙ୍କ ଗୁଣାତ୍ମକ ଶିକ୍ଷାଲାଭ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଏହିପରି ସ୍ଥଳେ ବର୍ଷବର୍ଷ ଧରି ବିଦ୍ୟାଳୟର ମରାମତି କରାଯାଉନଥିବାରୁ ଏହା ପିଲାଙ୍କ ଜିବନ ପ୍ରତି ବିପଦ ସୃଷ୍ଟି କରୁଛି । ଯାହାକି ସୋମବାର ଦିନ ଘଟିଥିବା ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ଉକ୍ତ ଘଟଣାକୁ ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ପରିଚାଳନା କମିଟିରେ ଉକ୍ତ ସମସ୍ୟା ଉପସ୍ଥାପନ କରିବା ସହ ସରପଂଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ମରାମତି ବାବଦରେ ଅର୍ଥ ମହଜୁଦ ଥିବାରୁ ଯଥାଶୀଘ୍ର ଏହାର ମରାମତି କରାଯିବ ବୋଲି ସରପଂଚ ପ୍ରତିଶ୍ରୁତି ଦେଇଥିବା ସେ ପ୍ରକାଶ କରିଥିଲେ । ତେଣୁ ଆଗାମୀ ଦିନରେ କିଛି ବଡ଼ ଧରଣର ଅଘଟଣ ଘଟିବା ଆଗରୁ ଶ୍ରେଣୀ ଗୃହ ଗୁଡ଼ିକର ମରାମତି କରିବା ଓ ବିଦ୍ୟାଳୟରେ ଲାଗି ରହିଥିବା ଅନ୍ୟ ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଅଭିଭାବକଙ୍କ ସମେତ ବିଭିନ୍ନ ମହଲରୁ ଦାବି ହୋଇଛି ।

Shrutilipi ad