ଭକ୍ତି ଓ ଉତ୍ସାହରେ ପ୍ରକମ୍ପିତ ବଡ଼ଦାଣ୍ଡ: ବାରିପଦାରେ ଜନ୍ମବେଦୀରେ ପହଞ୍ଚିଲେ ଚତୁର୍ଦ୍ଧାମୂର୍ତ୍ତି

ରାଜ୍ୟ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାରେ ଉତ୍ସାହ, ଉଦ୍ଦୀପନା ଓ ଭକ୍ତିମୟ ପରିବେଶ ମଧ୍ୟରେ ଶେଷ ହୋଇଛି ଦୁଇଦିନିଆ ରଥଟଣା। ଅନୁକୂଳ ପାଗ ମଧ୍ୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିବା ବେଳେ ତିନି ରଥ ମାଉସୀ ମା’ ମନ୍ଦିର (ଜନ୍ମବେଦୀ) ନିକଟରେ ପହଞ୍ଚିଛି।

ଗତକାଲି ପ୍ରବଳ ବର୍ଷା ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିବା ବେଳେ ମା’ ସୁଭଦ୍ରାଙ୍କ ରଥ ଟାଉନ ଥାନା ନିକଟରେ ଅଟକିଥିଲା। ଆଜି ପାଗ ଅନୁକୂଳ ଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ପରମ୍ପରା ଅନୁଯାୟୀ, ଆଜି ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା। ଶଙ୍ଖ, ହୁଳହୁଳି, ଘଣ୍ଟଘଣ୍ଟା ଓ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ପୂର୍ବରୁ ପହଞ୍ଚିଥିବା ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥ ପାଖରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପହଞ୍ଚିବା ପରେ ବଡ଼ଦାଣ୍ଡରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା।

ଆଗାମୀ କାର୍ଯ୍ୟକ୍ରମ:
ଆଜି ରାତିରେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରାଯିବ। ଆସନ୍ତାକାଲିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ମହାପ୍ରଭୁମାନେ ବିଭିନ୍ନ ବେଶରେ ଦର୍ଶନ ଦେବେ। ମଙ୍ଗଳବାର ହେରାପଞ୍ଚମୀ ଏବଂ ଶନିବାର ଦ୍ୱାରିକା ବେଶ ଅନୁଷ୍ଠିତ ହେବ। ଏହାପରେ ଆସନ୍ତା ୬ ଓ ୭ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।

ପ୍ରଶାସନିକ ବ୍ୟବସ୍ଥା:
ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବଡ଼ଦାଣ୍ଡକୁ ସମ୍ପୂର୍ଣ୍ଣ ସିସିଟିଭି କ୍ୟାମେରା ନଜରରେ ରଖାଯାଇଥିଲା। ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ କରାଯାଇଥିଲା।

Shrutilipi ad