ପୁରୀ ଦଳାଚକଟା ପ୍ରଭାବ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର, ଏସ୍‌ପି ବିନିତ ଅଗ୍ରୱାଲ ବଦଳି; ଦୁଇ ଅଧିକାରୀ ନିଲମ୍ବିତ

ରାଜ୍ୟ

ପୁରୀ: ପୁରୀ ଶରଧାବାଲିରେ ଘଟିଥିବା ମର୍ମନ୍ତୁଦ ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବା ବେଳେ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ଏଥିସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ ପୂର୍ବରୁ ଏହି ଘଟଣାକୁ ‘ଅକ୍ଷମଣୀୟ ଅବହେଳା’ କହିବା ସହ ଭକ୍ତଙ୍କୁ କ୍ଷମା ମାଗି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ନିଜ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବରିଷ୍ଠ ଆଇପିଏସ୍ ଅଧିକାରୀ ପିନାକ ମିଶ୍ରଙ୍କୁ ପୁରୀର ନୂଆ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ରଥ ପରିଚାଳନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଏହି ଦ୍ରୁତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ମାଧ୍ୟମରେ ସରକାର ଭକ୍ତଙ୍କ ଆସ୍ଥା ଫେରାଇ ଆଣିବା ସହ ଭବିଷ୍ୟତରେ ଏଭଳି ବଡ଼ ଧାର୍ମିକ କାର୍ଯ୍ୟକ୍ରମରେ ଭିଡ଼ ପରିଚାଳନାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ‘X’ ହ୍ୟାଣ୍ଡେଲରେ ଏହି ସମସ୍ତ ସୂଚନା ଦେଇଛନ୍ତି।