ବାରିପଦା, ୨୮/୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ପ୍ରସିଦ୍ଧି ଲାଭ କରିଥିବା ବାରିପଦାରେ ଆଜି ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ । ମେଘାଛନ୍ନ ଅନୁକୂଳ ପାଗରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଥିଲା । ହରିବୋଲ, ହୁଳହୁଳି, ଶଙ୍ଖ, ଘଣ୍ଟ ଓ ସଂକୀର୍ତ୍ତନ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା ।
ଗତକାଲି ଶୁକ୍ରବାର ପହଣ୍ଡି ବିଜେ ପରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଥିଲେ । ଏଠାକାର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ, ଘୋଷଯାତ୍ରାରେ ଦୁଇ ଦିନ ଧରି ରଥଟଣା ହୋଇଥାଏ । ଆଜି ରଥଟଣାର ପ୍ରଥମ ଦିନରେ, ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଆନନ୍ଦ ଓ ଉଲ୍ଲାସରେ ଟାଣି ନେଇ ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ ।
ଏହାପରେ ଆରମ୍ଭ ହୋଇଥିଲା ବାରିପଦା ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ ଓ ଅନନ୍ୟ ପରମ୍ପରା । ପୂର୍ବ ପ୍ରଥା ଅନୁଯାୟୀ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ହିଁ ଟାଣିଥିଲେ । ସନ୍ଧ୍ୟା ପୂର୍ବରୁ ମହିଳାମାନେ ରଥକୁ ଟାଣି ବଡ଼ଦାଣ୍ଡର ନାଭିକେନ୍ଦ୍ର କୁହାଯାଉଥିବା ଟାଉନ ଥାନା ସମ୍ମୁଖରେ ପହଞ୍ଚାଇବା ପରେ ଆଜି ପାଇଁ ରଥଟଣା କାର୍ଯ୍ୟ ସମାପ୍ତ ହୋଇଥିଲା ।
ଆସନ୍ତାକାଲି ରବିବାର ପୁନର୍ବାର ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହେବ । ଏହି ଅଭିନବ ପରମ୍ପରାକୁ ଦେଖିବା ପାଇଁ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ, ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତ ଏବଂ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସିସିଟିଭି କ୍ୟାମେରା ନଜରରେ ରଖାଯାଇଥିଲା । ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏସଡିପିଓ ଏବଂ ଟାଉନ ଥାନା ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ରଥଟଣା କାର୍ଯ୍ୟକୁ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ କରାଯାଉଥିବା ବେଳେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ରଥ ଉପରୁ ଧାରା ବିବରଣୀ ଦେଇଥିଲେ ।

