Photo for the news of smart class

ସ୍ମାର୍ଟ କ୍ଲାସ ଶିକ୍ଷା ବ୍ୟବସ୍ଥା ପ୍ରହସନ, ବିଜୁଳି କଟିଲେ ପାଢପଢା ଠପ

ରାଜ୍ୟ

ଆଗରପଡ଼ା :ଗତ ସେପ୍ଟେମ୍ବର ମାସରେ “ସ୍ମାର୍ଟ କ୍ଲାସ୍ ଶିକ୍ଷା ବ୍ୟବସ୍ଥା ପ୍ରହସନ; ବିଜୁଳି କଟିଲେ ପାଠପଢା ଠପ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୯ମାସ ବିତିଯିବା ସହ ଏକ ନୂତନ ଶିକ୍ଷା ବର୍ଷ ଚାଲୁଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଶିକ୍ଷାଧିକାରୀଙ୍କ କ୍ଷେତ୍ରରେ । ପିଲାଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସ୍ମାର୍ଟ କ୍ଲାସ ଶିକ୍ଷା ବ୍ୟବସ୍ଥା ଏହିପରି ଏକ ଉଦାହରଣ ସୃଷ୍ଟି କରୁଛି । ସରକାର ଗତ ୨୦୨୪-୨୫ ଶିକ୍ଷା ବର୍ଷ ଆରମ୍ଭରେ ପ୍ରତି ନୋଡ଼ାଲ ବିଦ୍ୟାଳୟରେ(ପ୍ରଥମ ରୁ ଅଷ୍ଟମ)ସ୍ମାର୍ଟ କ୍ଲାସ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ନୋଡ଼ାଲ ବିଦ୍ୟାଳୟ ଗୁଡ଼ିକରେ ୭ମ ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ କ୍ଲାସର ବ୍ୟବସ୍ଥା ପ୍ରଣୟନ କରିଥିଲେ । ଏହି ବ୍ୟବସ୍ଥାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ମାର୍ଟ ବୋର୍ଡ଼ର ବନ୍ଦୋବସ୍ତ ହୋଇଥିଲା । କଳାପଟା ପରିବର୍ତ୍ତେ ଛାତ୍ରଛାତ୍ରୀମାନେ ସ୍ମାର୍ଟ ବୋର୍ଡ଼ ମାଧ୍ୟମରେ ଶିକ୍ଷାଲାଭ କରିବାର ସୁଯୋଗ ମଧ୍ୟ ପାଇଥିଲେ । କିନ୍ତୁ ସୂଚନା ଅନୁଯାୟୀ ଉକ୍ତ ବ୍ୟବସ୍ଥାରେ ବନ୍ତ ବ୍ଲକରେ ଅନ୍ତର୍ଭୁକ୍ତ ବିଭିନ୍ନ ନୋଡ଼ାଲ ବିଦ୍ୟାଳୟରେ ବିଜୁଳି ଗଲେ ପାଢପଢା ଠପ୍ ହୋଇପଡ଼ୁଥିବା ଜଣାପଡ଼ିଛି । ଏହାର କାରଣ ବିଜୁଳି ସରବରାହରେ ବ୍ୟାଘାତ ହେଲେ ତାପାଇଁ କୌଣସି ବିକଳ୍ପର ବ୍ୟବସ୍ଥା କରାଯାଇନାହିଁ । କୌଣସି ବିଦ୍ୟାଳୟରେ ଇନ୍‌ଭର୍ଟର ସୁବନ୍ଦୋବସ୍ତ କରାଯାଇନଥିବାରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ସ୍ମାର୍ଟ ବୋର୍ଡ଼ ବିଜୁଳି ଗଲେ ମୁଲ୍ୟହୀନ ହୋଇପଡ଼ୁଛି । ଗ୍ରାମାଚଂଳରେ ବର୍ଷା ପବନ ହେଲେ ବିଜୁଳି କଟିବା ଏକ ନିତିଦିନିଆ ଘଟଣା । ତେଣୁ ବିଭିନ୍ନ ପରିସ୍ଥିତିକୁ ଆଖିଆଗରେ ରଖି ଅଧିକାରୀମାନେ ଉକ୍ତ ବ୍ୟବସ୍ଥା ପ୍ରଣୟନ କରିବା ଆଗରୁ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେଇନଥିବାରୁ ଯୋଜନା ଗୁଡ଼ିକର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣି ସ୍ମାର୍ଟ ବୋର୍ଡ଼କୁ ବିଦ୍ୟାଳୟ କାନ୍ଥର ମଧ୍ୟ ଭାଗରେ ଅର୍ଥାତ୍ କଳାପଟା(ପୂର୍ବରୁ ଥିବା)ଉପରେ ଲଗାଯାଇଥିବାରୁ ବିଜୁଳି ଗଲେ କଳାପଟାକୁ ବିକଳ୍ପ ରୂପେ ମଧ୍ୟ ଚୟନ କରାଯାଇପାରୁନଥିବା ଜଣାପଡ଼ୁଛି । ବନ୍ତ ବ୍ଳକର ବିଭିନ୍ନ ନୋଡ଼ାଲ ବିଦ୍ୟାଳୟରେ ଶିକ୍ଷା ଦାନ କରୁଥିବା ଶିକ୍ଷକଙ୍କ କହିବା ଅନୁଯାୟୀ ଏହିପରି ସମସ୍ୟା ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପାଠ୍ୟ ତାଲିକା ସାରିବାରେ ଅସୁବିଧା ସୃଷ୍ଟି ହେଉଛି । ସମୟ ଅବଧି ମଧ୍ୟରେ ପାଠପଢା ସରିପାରୁନାହିଁ । ସେହିପରି କିଛି ବିଦ୍ୟାଳୟର ପରିଚାଳନା କମିଟି ସଭାପତିଙ୍କୁ ଯୋଗାଯୋଗ କରିବାରୁ ସେମାନେ ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ପ୍ରକାଶ କରିଥିଲେ । ତେଣୁ ବିଭାଗୀୟ ଅଧିକାରୀ ଉକ୍ତ ସମସ୍ୟାର ସମାଧାନ କରିବା ସହ ସ୍ମାର୍ଟ କ୍ଲାସ ଶିକ୍ଷା ବ୍ୟବସ୍ଥାକୁ ପ୍ରହସନରେ ପରିଣତ ନକରି ଏହାକୁ ସୁଦୃଢ କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ପ୍ରକାଶ ପାଇବାକୁ ଇତି ମଧ୍ୟରେ ୯ମାସ ବିତି ଯିବା ସହ ଏକ ନୂତନ ଶିକ୍ଷା ବର୍ଷ ଚାଲୁଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତେଣୁ ଚଳିତ ଶିକ୍ଷା ବ୍ୟବସ୍ଥାକୁ ପ୍ରହସନରେ ପରିଣତ ନକରି ଏହାର ସ୍ଥାୟୀ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଅଭିଭାବକ ମହଲରେ ଦାବି ହେଉଛି ।

Shrutilipi ad