ବାରିପଦା : ଆଜି ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତ ରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କଲାପରେ ରୋଡ଼ ଶୋରେ ଯାତ୍ରା କରି ଜନତା ମୈଦାନ ଠାରେ ବର୍ଷ ପୂର୍ତ୍ତି ରାଜ୍ୟ ସ୍ତରୀୟ ସମାବେଶ ଉତ୍ସରେ ଯୋଗ ଦେଇଥିଲେ। ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ଅନେକ ଗୁଡିଏ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା ସହିତ ନରାଜ ଠାରେ ଇଲେକ୍ଟ୍ରି ବସ ଡିପୋ ର ଶୁଭ ଉଦଘାଟନ ଓ ୧୦୦ ଟି ଇଲେକ୍ଟ୍ରି ବସର ଶୁଭଉଦଘାଟନ କରିଛନ୍ତି। ଏତଦ ବ୍ୟତୀତ ଭିଜନ ଓଡିଶା ଡକୁମେଣ୍ଟର ଉନ୍ମୋଚନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ କିଛି ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କ୍ରମରେ ମୟୁରଭଞ୍ଜ ଜିଲ୍ଲାର ବଡଯୋଡ ଜି ପି ର କବିତା ସିଂ ନାମ୍ନୀ ଜଣେ ମହିଳାଙ୍କୁ କୁକୁଡ଼ା ଓ ଛେଳି ଚାଷ କରି ଲକ୍ଷପତି ଦିଦି ହୋଇପାରିଥିବାରୁ ତାଙ୍କୁ ସମର୍ଦ୍ଧିତ କରିଥିଲେ। ସେହିପରି ବରପୁତ୍ର ମାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ସେମାନଙ୍କ ଜନ୍ମ ସ୍ଥଳୀଙ୍କୁ ଐତିହ୍ୟ ସ୍ମାରକୀ ଭାବେ କରିବା ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନକୁ ବରପୁତ୍ର ଐତିହ୍ୟ ଗ୍ରାମ ପ୍ରକଳ୍ପ ଅନ୍ତର୍ଭୁକ୍ତ କରି ଶୁଭଦଘାଟନ କରିଥିଲେ | ଏହି ଅବସରରେ ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ଠାରେ ଏକ ଜିଲ୍ଲା ସ୍ତରୀୟ କାଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ୟାନ୍ୟ ଅତିଥିଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଏ ଜାତି, ରାଜ୍ୟ ତଥା ଦେଶ ପାଇଁ ଅବଦାନ ଅତୁଳନୀୟ। ଆମେ ସମସ୍ତେ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ଓ ଦେଶ ପାଇଁ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ ବୋଲି କହିଥିଲେ। ଏଥି ସହିତ କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତିର ବିଭିନ୍ନ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ।
ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଓ ବାରିପଦା ବି ଡି ଓ ଶ୍ରୀ ଦେବେନ୍ଦ୍ର କୁମାର ବଳ ଯୋଗ ଦେଇଥିବା ବେଳେ ଜିଲ୍ଲା ଏନ ଆଇ ସି ଅଫିସର ଶ୍ରୀ ଅଜୟ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା, ଡି ସି ପି ଓ ଶ୍ରୀମତୀ ମମତା ବିଶ୍ୱାଳ ଓ ଡି. ଇ ଜି ଏମ ସେବତୀ କର ପ୍ରମୁଖଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବିଭିନ୍ନ ଯୋଜନାର ହିତାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏନ ଆଇ ସି ପ୍ଲାଟଫର୍ମ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା।

