ବାରିପଦା : ବିକଶ ମେଳା ଉପଲକ୍ଷେ ଆଜି ଅପରାହ୍ନରେ ବାରିପଦା ସ୍ଥିତ ସହୀଦ ସ୍ମୃତି ଭବନ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ତରୀୟ ଓଡିଶା ଭିଜନ ୨୦୩୬ ଓ ୨୦୪୭ ଲକ୍ଷ୍ୟ ରଖି ବିକଶିତ ଓଡିଶା ପାଇଁ ବିକଶିତ ମୟୂରଭଞ୍ଜ ସମ୍ପର୍କିତ ଏକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣ ଶିକ୍ଷା, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଓ ଉଦଳା ଏନ ଏ ସିର ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା ଯୋଗ ଦେଇଥିଲେ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିଙ୍କ ସହିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ଭକ୍ତିପୁଷ୍ପ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳାକୁ ଶୁଭ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଗତ ଭାଷଣ ପ୍ରଦାନ କରି ଏହି କର୍ମଶାଳାର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁ ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ର ପରିକଳ୍ପନା କରାଯାଇଛି ଏହା କେବଳ ସମସ୍ତଙ୍କ ମିଳିତ ପ୍ରୟାସରେ ସମ୍ଭବ ହୋଇ ପାରିବ। ଯେତେବେଳେ କୌଣସି କ୍ଷେତ୍ରରେ ବିକାଶ କଥା ଚିନ୍ତା କରାଯାଏ ସେତେବେଳେ ଆମକୁ ଏଥିପାଇଁ ପ୍ରାକ ପ୍ରସ୍ତୁତି କରିବାକୁ ପଡିଥାଏ ଏବଂ ଏଥିପାଇଁ ସବୁ ବର୍ଗର ଲୋକଙ୍କୁ ଏଥିରେ ସଂଯୁକ୍ତ କରାଇ ସମସ୍ତଙ୍କ ମତାମତ ନେଇ ଏହାର ସବୁ ଦିଗକୁ ଦୃଷ୍ଟିରେ ରଖି ଉତ୍ତମ ଅନୁଧ୍ୟାନ ପରେ ଯୋଜନାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ତଦନୁସାରେ ଏହାର କାର୍ଯ୍ୟନ୍ଵୟନ କଲେ ଜିଲ୍ଲାର ସାମଗ୍ରୀକ ବିକାଶ ହୋଇପାରିବ। କାରଣ ରାଜ୍ୟର ବିକାଶ ପାଇଁ ଜିଲ୍ଲାର ବିକାଶ ନିତ୍ୟାନ୍ତ ଆବଶ୍ୟକ। ତେଣୁ ଆମକୁ ଗୋଟିଏ ଟାର୍ଗେଟ ରଖି କାମ କରିବାକୁ ପଡିବ ତେବେଯାଇ ଆମେ ଆମ ସ୍ବପ୍ନକୁ ସାକାର କରି ପାରିବା
ସମ୍ମାନିତ ଅତିଥି ମାନ୍ୟବର ମନ୍ତ୍ରୀ ଡ. ମହାପାତ୍ର କହିଥିଲେ ଯେ ମୟୁରଭଞ୍ଜ ଜିଲ୍ଲା ଏକ ସମ୍ଭାବନାର ଜିଲ୍ଲା। ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ସମ୍ପଦରେ ବୈଭବ ଭରା ଏହି ଜିଲ୍ଳାରେ ଅନେକ ବିକାଶ ହୋଇପାରିବ। ତେଣୁ ସକାରାତ୍ମକ ଚିନ୍ତାଧାରା ନେଇ ଆମେ ଜିଲ୍ଲାକୁ ବିକାଶ ଆଡକୁ ଆଗେଇ ନେଲେ ନିଶ୍ଚିତ ଭାବେ ଆମେ ଆମ ଲକ୍ଷ୍ୟ ହାସଲ କରିବା। ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲା ଭାବେ ଗଠନ କରିବା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ।
ଏହି ଅବସରରେ ଉପସ୍ଥିତ ଥିବା ବୁଦ୍ଧିଜୀବି, ଶିକ୍ଷାବିତ,ବରିଷ୍ଠ ନାଗରିକ, ଶିଳ୍ପ ସଙ୍ଘ, ଛାତ୍ର ଛାତ୍ରୀ ସର୍ବପରି ସାଧାରଣ ଜନତା ଜିଲ୍ଲାର ଭବିଷ୍ୟତ ଓ ସାମଗ୍ରୀକ ବିକାଶ ପାଇଁ ନିଜସ୍ୱ ଚିନ୍ତନ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ସୟ ବର୍ତମାନ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ତଥ୍ୟ ଲୋକମାନଙ୍କୁ ଅବଗତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମନେ ଉପସ୍ଥିତ ଥିଲେ
ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପ ନିର୍ଦେଶକ ଶ୍ରୀ ଲେମ୍ବ ମାରାଣ୍ଡିଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ କର୍ମଶାଳାକୁ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

