Ayatollah ali khamenei

ଖାମେନିଙ୍କୁ ଇରାନରେ ହିଁ ଫାଶୀ ଦେବୁ : ଇସ୍ରାଏଲ

ଦେଶ - ବିଦେଶ

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି। ସୋମବାର ଇସ୍ରାଏଲର ପିଏମ୍‌ ବେଞ୍ଜାମିନ୍‌ ନେତନ୍ୟାହୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କୁ ହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଖାମେନିଙ୍କର ହତ୍ୟା ହେବ। ଏହାପରେ ହିଁ ଏହି ଯୁଦ୍ଧ ଥମିବ। କୁହାଯାଏ ଯେ, ଗତ ଦିନର ଇସ୍ରାଏଲ ଖାମେନିଙ୍କୁ ମାରିବାର ପୂରା ପ୍ଲାନିଂ କରି ଦେଇଥିଲେ , କିନ୍ତୁ ଶେଷ ମୁହୂର୍ତ୍ତରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଇସ୍ରାଏଲର ଏହି ପ୍ଲାନରେ ବ୍ରେକ୍‌ ଲଗାଇ ଦେଇଥିଲା। ଏବେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍‌ ମଙ୍ଗଳବାର ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ, ଖାମେନିଙ୍କର ପରିଣାମ ମଧ୍ୟ ଇରାକ୍‌ର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସୈନ ପରି ହେବା ଥୟ। ସଦ୍ଦାମ ପରି ଖାମେନିଙ୍କୁ ଇରାନରେ ଇରାନର ଲୋକେ ହିଁ ଫାଶୀରେ ଝୁଲାଇବେ।

ବର୍ତ୍ତମାନ ସୁଦ୍ଧା ଏହା ଇସ୍ରାଏଲର ସବୁଠୁ ସିଧାସଳଖ ଓ ବଡ଼ ଧମକ ବୋଲି କୁହାଯାଉଛି। ଏହାସହ ଏହା ମଧ୍ୟ ସଙ୍କେତ ରହିଛି ଯେ, ଇସ୍ରାଏଲ ଖୁବ୍‌ ଶୀଘ୍ର କିଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ସେପଟେ, ଇସ୍ରାଏଲ ଏହି ବିପଦପୂର୍ଣ୍ଣ ପ୍ଲାନିଂକୁ ନେଇ ଚିନ୍ତିତ। ଟ୍ରମ୍ପ ପ୍ରଶାସନ ବାରମ୍ୱାର କହୁଛି ଯେ, ଯୁଦ୍ଧରେ ରାଜନୈତିକ ପ୍ରଭାବ ଥିବା ବ୍ୟକ୍ତିଙ୍କ ହତ୍ୟା ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଯୁଦ୍ଧ ଭୟଙ୍କର ରୂପ ନେଇପାରେ। ଟ୍ରମ୍ପ ନିଜେ ସ୍ୱୀକାର କରିଛନ୍ତି ଯେ, ସେ ଇସ୍ରାଏଲକୁ ଖାମେନିଙ୍କର ହତ୍ୟା କରିବାକୁ ମନା କରିଛନ୍ତି।

ଏପଟେ, କାଟଜ୍‌ ବୟାନରେ ସ୍ପଷ୍ଟ କରିଛନ୍ତି ଯେ, ଖାମେନିଙ୍କୁ ଇସ୍ରାଏଲୀୟ କାର୍ଯ୍ୟାନୁଷ୍ଠାର ସମ୍ମୁଖୀନ ହେବାକୁ ପଡ଼ିବ, ନଚେତ ନିଜ ଦେଶବାସୀଙ୍କ ହାତରେ ମୃତ୍ୟୁ , ଯେମିତି ସଦ୍ଦାମ ହୁସୈନଙ୍କୁ ମିଳିଥିଲା – ଯେମିତି ଆମେରିକୀୟ ଆକ୍ରମଣ ପରେ ଇରାକୀ ଜନତା ଫାଶୀ ଦେଇଥିଲେ। କାଟଜଙ୍କର ସନ୍ଦେଶ ସ୍ପଷ୍ଟ ଯେ- ଆମେ ତୁମକୁ ଶେଷ କରିଦେବୁ ଅଥବା କ୍ଷମତାରୁ ଏମିତି ଖସାଇ ଦେବୁ ଯେ ଇରାନର ଜନତା ତୁମକୁ ମାରି ଦେବେ।

ଇରାକର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସୈନଙ୍କ ଉପରେ ଅଲଗା ଅଲଗା ମାମଲାରେ ହଜାର ହଜାର ଲୋକଙ୍କ ହତ୍ୟା ଅଭିଯୋଗ ଥିଲା, କିନ୍ତୁ ଯେଉଁ ମାମଲାରେ ତାଙ୍କୁ ଫାଶୀ ଦିଆଗଲା , ଏଥିରେ ୧୯୮୨ ର ଦୁଜାଇଲ ନରସଂହାର ଅନୁସାରେ ୧୪୮ଜଣ ଶିଆ ମୁସଲମାନଙ୍କୁ ହତ୍ୟା କରିବା ପ୍ରମାଣିତ ହୋଇଥିଲା। ୨୦୦୩ ମସିହାରେ ଆମେରିକା ନେତୃତ୍ୱାଧିନ ମେଣ୍ଟ ତାଙ୍କୁ କ୍ଷମତାଚ୍ୟୁତ କରିବା ପରେ ତାଙ୍କୁ ଗିରଫ କରାଯାଇ ଥିଲା। ଇରାକର ସ୍ୱତନ୍ତ୍ର କୋର୍ଟ ୨୦୦୬ରେ ତାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ। ୩୦ ଡିସେମ୍ୱର ୨୦୦୬ରେ ଇଦ୍‌ ଦିନ ତାଙ୍କୁ ବାଗଦାଦର ଏକ ସାମରିକ ଘାଟିରେ ଫାଶୀ ଦିଆ ଯାଇଥିଲା। ଫାଶୀର ଭିଡ଼ିଓ ମଧ୍ୟ ଲିକ୍‌ ହୋଇଥିଲା , ଯାହା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରି ଥିଲା।