ବାରିପଦା : ଉତ୍କଳୀୟ ସଂସ୍କୃତିରେ ବିଭିନ୍ନ ଓଷା ବ୍ରତ ମଧ୍ୟରେ ସୁଦଶା ଓଷା ଏକ ଅନନ୍ୟ ବ୍ରତ । ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ । ଆସ୍ଥା ଓ ବିଶ୍ଵାସ ଅଛି ଧନଧାନ୍ୟ ,ଶ୍ରୀ ବୃଦ୍ଧି, ସୁଖଶାନ୍ତି ପାଇଁ ମହିଳାମାନେ ଧନଦାତ୍ରୀ ମାତା ଲକ୍ଷ୍ମୀଙ୍କୁ ଆରାଧନା ଓ ଉପାସନା କରିଥାନ୍ତି ।ପଦ୍ମ ପୁରାଣ ଅନୁସାରେ ଯେ କୌଣସି ମାସର ଶୁକ୍ଳପକ୍ଷ,ଦଶମୀ ଏବଂ ଗୁରୁବାର ଗୋଟିଏ ଦିନରେ ପଡ଼ିବ ସେହିଦିନ ସୁଦଶା ବ୍ରତ ପାଳନ କରାଯାଇଥାଏ ।ଏହି ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ ।ଏହି ଦିନକୁ ନିଷ୍ଠାର ସହ ପାଳିବା ପାଇଁ ମହିଳାମାନେ ଚାତକ ଭଳି ଅନେଇ ଥାନ୍ତି ।ଏହି ବ୍ରତକୁ ଆମ ଓଡ଼ିଶାର ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ନିଷ୍ଠାର ଓ ଭକ୍ତିମୟୀ ପରିବେଶରେ ପାଳନ କରାଯାଇଥାଏ । ସୁଦଶା ଵ୍ରତରେ ଦଶ ପାଖୁଡ଼ା ପଦ୍ମ,ଦଶମୁଖା ଦୀପ,ଦଶମୁଠି ଚାଉଳ,ଦଶମେଞ୍ଚା କଦଳୀ,ଦଶ ଗୋଟି ମଣ୍ଡାରେ ମା’ ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ମହିଳାମାନେ ମା’ ଲକ୍ଷ୍ମୀ ଙ୍କୁ ପୂଜାକରି ବ୍ରତରେ ଦଶଖିଅ ଧଳା ସୂତାରେ ପ୍ରସ୍ତୁତ ହୋଇଥିବା ବ୍ରତରେ ଦଶ ଗୋଟି ଗଣ୍ଠି ମା’ ଲକ୍ଷ୍ମୀ ଙ୍କ ବିଭିନ୍ନ ନାମ ଲକ୍ଷ୍ମୀନାରାୟଣୀ,କମଳିନୀ,ଶ୍ରୀହରି ପ୍ରିୟା,ପଦ୍ମାଳୟା,କମଳା,ଚଞ୍ଚଳା,ବି ଘ୍ନସେନୀ,ସିନ୍ଦୁର ଦୁଲ୍ହଣୀ,ଦୁର୍ଗତୀନାଶିନୀ,ବିଷ୍ନୁପା ଟରାଣୀ ନାମରେ ଗଣ୍ଠି ପଡ଼ିଥାଏ । ତାହାକୁ ଡାହାଣ ହାତରେ ପିନ୍ଧିଥାନ୍ତି ।ଆଜି ମହିଳାମାନେ ପ୍ରାତଃ ରୁ ଉଠି ସ୍ନାନ ସାରି ଶ୍ଵେତ ବସ୍ତ୍ର ପିନ୍ଧି ଘର ଦାଣ୍ଡ ଲିପା ପୋଛା କରିବା ସହ ଘର ଆଗରେ ଝୋଟି ପକାଇ ଥିବା ଲକ୍ଷ୍ୟ କରାଯାଉଥିଲା ।ପରେ ପୂଜା ଓ ଅର୍ଘ୍ୟ ଥାଳି ଧରି ବିଭିନ୍ନ ମଠ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ଏବଂ ସାଙ୍ଗରେ ନେଇଥିବା ଲକ୍ଷ୍ମୀ ଙ୍କ ଅତିପ୍ରିୟ ମଣ୍ଡାପିଠା ଭୋଗ ଲାଗି କରାଇଥିଲେ । ସମସ୍ତଙ୍କ ଘର ପିଠାପଣା ରେ ମହମହ ବାସୁଥିଲା । ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର,ମାଉସୀ ମା ମନ୍ଦିରରେ ପ୍ରବଳ ଗହଳି ଲାଗିଥିଲା । ପୌରାଣିକ ମତରେ ଏହି ବ୍ରତ ପ୍ରଥମେ ବିଧର୍ବ ଦେଶର ରାଜା ନଳଙ୍କ ପାଟରାଣୀ ଦମୟନ୍ତୀ ପ୍ରଥମେ ଆରମ୍ଭ କରିଥିଲେ । ସେହିଦିନଠାରୁ ସବୁ ବିବାହିତା ମହିଳାମାନେ ଏହି ବ୍ରତ ପାଳନ କରି ଆସୁଛନ୍ତି ।

