ବାରିପଦା: ପାଲବଣି ଛକରୁ ରଂଗାମାଟିଆ ମେଡିକାଲ କଲେଜ ରାସ୍ତାର ପ୍ରଶସ୍ତିକରଣ ସ୍ବାଗତଯୋଗ୍ୟ ପଦକ୍ଷେପ। ଉନ୍ନୟନ କାର୍ଯ୍ୟର ଆମେ ବିରୋଧୀ ନୋହୁଁ। ମାତ୍ର ଉଚ୍ଛେଦ ପ୍ରକ୍ରିୟା ବେଳେ ଜିଲ୍ଲା ପ୍ରଶାସନର ପାତର ଅନ୍ତର ନୀତି ସ୍ପଷ୍ଟ ବାରି ହୋଇଛି । ଶିଳ୍ପ ପତି ମେରେଜ ପେଲେସ ଭଳି କିଛି ଥିଲାବାଲାକୁ ସୁରକ୍ଷା ଦେଇ, ଖଟିଖିଆ ମଜୁରୀଆ, ବେସାହାରା ମଣିଷର ବଞ୍ଚିବାର ଅଧିକାରକୁ ଆଇନ୍ ର ଦ୍ୱାହି ଦେଇ ଛଡ଼ାଇ ନିଆଯାଇଛି, ଯଦିଓ ଆଇନ୍ ସମସ୍ତଙ୍କ ପାଇଁ ସମାନ। ସରକାରୀ ଜମିରେ ୭୦/୮୦ ବର୍ଷ ଧରି ବାସିନ୍ଦାହୋଇ ପେଟ ପୋଷୁଥିବା ଅଭାବୀ ଲୋକଙ୍କୁ ଥଇଥାନ ନ କରି ଉଚ୍ଛେଦ ପ୍ରକ୍ରିୟା ଗ୍ରହଣୀୟ ନୁହେଁ। ଆର୍ ଡି ବିଭାଗ ଅଧିନ ମଝି ରାସ୍ତାରୁ ବାମକୁ ୭୨ ଫୁଟ ଉଚ୍ଛେଦର ପରିସିମା ଥିବା ବେଳେ, ଡାହାଣ ପଟକୁ କେତେ ଫୁଟ୍ ର ଉତ୍ତର ଉଚ୍ଛେଦରେ ଉପସ୍ଥିତ ଅଧିକାରୀମାନଙ୍କ ନୀରବତା ଜିଲ୍ଲା ପ୍ରଶାସନର ସ୍ୱଚ୍ଛତାକୁ ପ୍ରଶ୍ନ କରୁଛି। ଅଧିକନ୍ତୁ, ବର୍ଷା ଓ ଅନ୍ଧାର ସମୟରେ ଆପାତତଃ ନିଜ ଘରେ ଛୁଆ ପିଲା ଧରି ରହିଥିବା ଲୋକମାନଙ୍କ ଘରୁ ବିଦ୍ୟୁତ ଓ ପାଣି ଭଳି ସଂଯୋଗ କାଟିବା ମାନବିକ ଅଧିକାରର ଉଲଂଘନ। ବାସହରା ହୋଇ ଥିବା ଲୋକଙ୍କୁ ସରକାରୀ ନୀତି ଅନୁସାରେ ଥଇଥାନ କରିବା, ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟକ୍ତିଙ୍କୁ ଭେଣ୍ଡିଗ୍ ଜୋନ୍ କରି ଦେବା, ଉଚ୍ଛେଦର ଶିକାର ହୋଇଥିବା ଜନଗଣକୁ କ୍ଷତି ପୂରଣ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ସହରରେ, ଜାତୀୟ ରାଜପଥ କଡ଼ରେ ବହୁମୂଲ୍ୟ ସରକାରୀ ସମ୍ପତ୍ତିର ଦଖଲକୁ ଉଚ୍ଛେଦ କାହିଁକି କରାଯାଉନାହିଁ, ଜଙ୍ଗଲ ଜମିଗୁଡିକ କେଉଁ ମାଲିକାନାରେ ଅଛି, ତାହା ସାର୍ବଜନୀନ କରିବା ସହିତ ସଠିକ୍ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସର ଶାନ୍ତନୁ ପାଲ ଓ ସିପିଆଇର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗାମୀ ଦିନରେ ଏଗୁଡ଼ିକ କାର୍ଯ୍ୟକାରୀ ନ ହେଲେ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାକୁ ଚେତାବନୀ ଦିଆଯାଇଛି। କାହ୍ନୁଚରଣ ବେହେରା, ଜୟରାମ ନାୟକ,ବୁଧୁ ମହାନ୍ତ, ମହେଶ୍ୱର ବେହେରା, ପୂର୍ଣିମା ମହାନ୍ତ,ଦୁଖୀନି କାଳନ୍ଦୀ,ଗୁରୁବାରୀ ସିଂ, କାହ୍ନୁ ପାତ୍ର,ଝିଲି ମହାନ୍ତ, ମୀନକେତନ ବେହେରା,ଝୁନା ପଣ୍ଡା ପ୍ରମୁଖ ସରକାରୀ କଳର ପାତର ଅନ୍ତର ନୀତିକୁ ନିନ୍ଦା କରିଛନ୍ତି।

