ବାରିପଦା: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଲିଙ୍ଗ ନିରୂପଣକୁ କିଭଳି କଡାକଡି ଭାବରେ ରୋକାଯାଇପାରିବ ସେଥିପାଇଁ ଗୁରୁତର ସହ ଧ୍ୟାନ ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ I ଉକ୍ତ ବୈଠକରେ କାର୍ଯ୍ୟକ୍ଷମ ଥିବା ପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଗୁଡିକର ସମୀକ୍ଷା କରାଯାଇଥିଲା I ବୈଠକରେ ନୂତନ କ୍ଲିନିକ ପଞ୍ଜୀକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I ବୈଠକରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା I ଜିଲ୍ଲାରେ ପୁତ୍ର ସନ୍ତାନ ଓ କନ୍ୟା ସନ୍ତାନ ମଧ୍ୟରେ ଲିଙ୍ଗ ଅନୁପାତକୁ ଜନସଚେତନତା ସୃଷ୍ଟି କରି ବଢାଇବା ପାଇଁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ I ଜିଲ୍ଲାରେ ଥିବା ଆଶାକର୍ମୀ ମାନଙ୍କୁ ଜନସଚେତନତା କାର୍ଯ୍ୟରେ ନିୟୋଜିତ କରିବା ଏବଂ ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ତନଖି କାର୍ଯ୍ୟ ନିୟମିତ ଭାବରେ ଜାରି ରଖିବାକୁ ନିର୍ଦେଶ ଦେବା ସହ ଜିଲ୍ଲାର ଜନସାଧାରଣ କିପରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ |
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାତ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ଦାଶ,ପରିବାର କଲ୍ୟାଣ ଅଧିକାରୀ ଡା. ସୁନନ୍ଦା ମିଶ୍ର, ଡା.ପ୍ରଣବ ଦାସ, ଡା. ସୁଯୋଗ ନାୟକ, ଡା. ହରିଶ୍ଚନ୍ଦ୍ର ସାହୁ, ଡିପିଏମ ଶ୍ରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ସମାଜସେବୀ ବିରଜା ଦେବୀ ଓ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଲିଗାଲ ମ୍ୟାନେଜର ଶ୍ରୀ ପ୍ରବୋଧ ସୁନ୍ଦରରାୟ ଧନ୍ୟବାଦ ଅର୍ପଣ କରିଥିଲେ

