Salman 750x430

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଦୁଇ ଦିନରେ ଘରେ ପଶିଲେଣି ୨ ଅଜଣା ବ୍ୟକ୍ତି

ଦେଶ - ବିଦେଶ

ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ମେ’ ୨୦ ତାରିଖରେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ଯାହାକୁ ସୁରକ୍ଷାକର୍ମୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ପରଦିନ ଅର୍ଥାତ୍ ମେ’ ୨୧ ତାରିଖ ରାତିରେ ଜଣେ ମହିଳା ମଧ୍ୟ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଗୁରୁବାର ସକାଳେ ମୁମ୍ବଇ ପୁଲିସ ତାଙ୍କୁ ଗିରଫ କରିଛି।
ପ୍ରଥମେ ମଙ୍ଗଳବାର ଦିନ ସଲମାନ ଖାନଙ୍କ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଜଣେ ବ୍ୟକ୍ତି ତାଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଯୁବକ ଜଣକ କାର ପଛରେ ଲୁଚି ସଲମାନଙ୍କ କୋଠା ପରିସରରେ ପ୍ରବେଶ କରିବାରେ ସଫଳ ମଧ୍ୟ ହୋଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ କୋଠାର ପ୍ରବେଶ ଫାଟକ ପାଖରେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ଯୁବକଙ୍କ ନାମ ଜିତେନ୍ଦ୍ର କୁମାର ସିଂହ ଏବଂ ସେ ଛତିଶଗଡ଼ର ବୋଲି କୁହାଯାଉଛି।
ଏହା ବ୍ୟତୀତ ବୁଧବାର ବିଳମ୍ବିତ ରାତିରେ ଜଣେ ଅଜଣା ମହିଳା ମଧ୍ୟ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ମୁମ୍ବଇ ପୁଲିସର ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୩ଟା ସମୟରେ ଇଶା ଛାବଡ଼ା ନାମ୍ନୀ ମହିଳା ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୁଲିସ କହିଛି ଯେ, ମହିଳା ଜଣକ କୋଠାର ଲିଫ୍ଟ ଦେଇ ସିଧାସଳଖ ସଲମାନଙ୍କ ଘରେ ଯାଏଁ ପହଞ୍ଚିଥିଲେ। ସେଠାରେ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କର୍ମୀମାନେ ମହିଳାଙ୍କୁ ଧରି ବାନ୍ଦ୍ରା ପୁଲିସକୁ ହସ୍ତାନ୍ତର କରିଥିଲେ। ଏହାପରେ ସୁରକ୍ଷା କର୍ମୀଙ୍କ ଅଭିଯୋଗକ୍ରମେ ବାନ୍ଦ୍ରା ପୁଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଗୁରୁବାର ସକାଳେ ତାଙ୍କୁ ଗିରଫ କରିଛି।

Shrutilipi ad