Photo for the news of hata1

ସ୍ମାଟ ଯୁଗରେ ବି କମିନି ହାଟର ଚାହିଦା, ହାଟ ପରମ୍ପରାର ନିଆରା ଅନୁଭୂତି

ରାଜ୍ୟ

ଆଗରପଡ଼ା :ସ୍ମାଟ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଚ୍ଛାରେ ମଣିଷ କ୍ରମଶଃ ଭୁଲିଯାଉଛି ହାଟ ପରମ୍ପରାକୁ । କିନ୍ତୁ ଭଦ୍ରକ ଜିଲ୍ଲା ଆଗରପଡ଼ାରେ ଅବସ୍ଥିତ ଦୁଇଶହ ବର୍ଷର ସୁଭଦ୍ରା ମହତାବ ହାଟ ପରମ୍ପରାକୁ ବଞ୍ଚାଇବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଚାଲ ଯିବା ଆଗରପଡ଼ା ହାଟ ହଳକରିବା ପାଇଁ ଶସ୍ତାରେ ମିଳିବ ବଳଦ । ଖାଇବାପାଇଁ ମିଳିବ ତଟକା ପରିବା । ଏହିପରି ଅନେକ କଥା ଶୁଣିବାକୁ ମିଳିଥାଏ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଦି ଜିଲ୍ଲା ଅଞ୍ଚଳର ଲୋକମାନଙ୍କଠାରୁ । ଆଗରପଡ଼ା ହାଟ ସହିତ ଏହିପରି ତିନି ଚାରିଟି ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷ ଧରି ସଂପର୍କ ରହିଆସିଅଛି । ଏହି ହାଟଟି ପ୍ରାୟ ୨ଶହ ବର୍ଷର ପୁରୁଣାହାଟ ବୋଲି ପୁରୁଖା ଲୋକମାନେ କୁହନ୍ତି । ବର୍ତ୍ତମାନ ହେଉଥିବା ସ୍ଥାନରେ ହାଟଟି ପାଖାପାଖି ୮୦ବର୍ଷ ଧରି ଚାଲିଛି । ପୂର୍ବରୁ ହାଟଟି ବର୍ତ୍ତମାନ ସୁଧାଂଶୁମାଳା -କାହ୍ନୁଚରଣ ମିଶନ ଚାଲୁଥିବା ସ୍ଥାନର ପଛପଟେ ଚାଲିଥିଲା । ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ପୂର୍ବଜମାନେ ଏହି ହାଟଟି ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ଡ. ମହତାବଙ୍କ ସହଧର୍ମିଣୀ ତଥା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସୁଭଦ୍ରା ମହତାବଙ୍କ ନାମରେ ଏହି ହାଟଟି ନାମିତ ହୋଇଛି । ପ୍ରାୟ ୩ଏକର ପରିମିତ ଅଞ୍ଚଳରେ ଏହା ଅବସ୍ଥିତ । ଗୋରୁହାଟ ରୂପେ ଖ୍ୟାତି ରହିଛି । ସବୁଧରଣର ଗୋରୁ ଏଠାରେ ବାରମାସ ମିଳିଥାନ୍ତି ପୁଣି ଶସ୍ତାଦରରେ । ଭଦ୍ରକ ବ୍ୟତୀତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଅଞ୍ଚଳବାସୀ ଗୋରୁ ଗାଈ କ୍ରୟ, ବିକ୍ରୟ କରିବାକୁ ନିର୍ଭର କରିଥାନ୍ତି ଏହି ହାଟ ଉପରେ । ପଶ୍ଚିମବଂଗରୁ ବ୍ୟବସାୟୀମାନେ ଏଠାକୁ ଆସି ବ୍ୟବସାୟ କରିଥାନ୍ତି । ସପ୍ତାହକୁ ୨ଥର ମଙ୍ଗଳବାର ଓ ଶନିବାରରେ ହାଟ ବସିଥାଏ ।

ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହାଟ ଚାଲିଥାଏ । ଛେଳି ବ୍ୟବସାୟୀମାନେ ଦୂରଦୂରାନ୍ତରୁ ଆସି ବ୍ୟବସାୟ କରିଥାନ୍ତି । ରଙ୍ଗବେରଙ୍ଗର କୁକୁଡ଼ା ସାଙ୍ଗକୁ ଖାସି ମାଂସ, ମାଛ ଦୋକାନ ରହିଛି । ଏଠାରେ ଅସଲି ଖାସି ମାଂସ ମିଳେ ବୋଲି ସମସ୍ତେ ଜାଣିଛନ୍ତି । ବାଲେଶ୍ୱରର ବଳରାମଗଡ଼ି ଓ ବାଲିଆପାଳ, ଭଦ୍ରକର ଚୁଡ଼ାମଣି ଓ ଧାମରା ଆଦି ଅଞ୍ଚଳର ବିରଳ ଇଲିଶି ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ମିଳିଥାଏ ଏହି ହାଟରେ । ଝୋଟରୁ ପ୍ରସ୍ତୁତ ବିଭିନ୍ନ କିସମର ତୁଣ୍ଡି, ରଶି, ଶିକା ଆଦି ବିକ୍ରି ହୁଏ । ବୁଡ଼ିଯାଉଥିବା ବାଉଁଶ ତିଆରି ଦ୍ରବ୍ୟ କୁଲା, ନାଳିଆ, ଅନ୍ଧୁଲି, ପୋହଳ, ଜାଲ, ଖଇଁଚି ଅତି ସୁଲଭ ମୂଲ୍ୟରେ ମିଳେ । ପଖିଆ, ଡୁଲି, ଛାଞ୍ଚୁଣି, ପହଁରା ଠାରୁ ଆରମ୍ଭ କରି ସମସ୍ତ ପନିପରିବା ମିଳିଥାଏ । ଡାଙ୍ଗମାଳ, ନଳିତାପାଟିଆ ସୋର-ଗୋପାଳପୁର ପ୍ରଭୃତି ସ୍ଥାନରୁ ଏଠାକୁ ବିକ୍ରିପାଇଁ ଆସିଥାଏ । ଶୁଖୁଆ, କରଞ୍ଜ ଓ ନିମତେଲ ଠାରୁ ଆରମ୍ଭ କରି ଗୁଡ଼କୁତ ସହ ସବୁ କିସମର ବସ୍ତ୍ରାଦି ବିକ୍ରି ହୋଇଥାଏ ଏଠାରେ । ଏହିପରି ଯାବତୀୟ ସାମଗ୍ରୀର ସମାହାର ଆଗରପଡ଼ା ସୁଭଦ୍ରା ମହତାବହାଟ ରେ ଦେଖିବାକୁ ମିଳିଥାଏ । ଏହି ଏ୍ୟୌତିହ ସଂପର୍ଣ୍ଣ ହାଟ କ୍ରମଶଃ ନାନାଦି ସମସ୍ୟାମାନ ଦେଇ ଗତିକରୁଛି । ହାଟ ପରିସରଟି ବର୍ତ୍ତମାନ ମାଟି ସ୍ଥାନରେ ଚାଲିଛି । ଯଦ୍ୱାରା ବର୍ଷା ଦିନେ କାଦୁଆ ପରିସ୍ଥିତି ସୃଷ୍ଟି ହେବା ଫଳରେ ଲୋକେ ଯାଆଆସ କରିବାରେ ଅସୁବିଧା ଭୋଗ କରୁଛନ୍ତି । ଏହା ଯଦି କଂକ୍ରିଟ ହୋଇପାରନ୍ତା ତାହା ହେଲେ ଆହୁରି ଅଧିକ ଲୋକ ହାଟ ସାମଗ୍ରୀ କିଣା କିଣି କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତେ । ନଡ଼ା ଛାଉଣୀ ଦୋକାନ ପରିବର୍ତ୍ତେ ଆଜବେଷ୍ଟସ ଛାଉଣୀ ହେଲେ ଦୋକାନୀମାନେ ବ୍ୟବସାୟ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରନ୍ତେ । ଗୋରୁ ଗାଈମାନେ ଠିଆ ହେବା ପାଇଁ ଆଜବେଷ୍ଟସ୍ ଛାଉଣୀ ଘର ନିର୍ମାଣର ଆବଶ୍ୟକତା ରହିଛି । ଏଥିପ୍ରତି ଦୃଷ୍ଟି ଦିଆଗଲେ ହାଟଟି ତାର ଏ୍ୟୌତିହ ପରଂପରା ବଜାୟ ରଖି ପାରନ୍ତା ।