ଆଗରପଡ଼ା :ବନ୍ତ ବ୍ଳକ ଅଂଚଳରେ ଦିନକୁ ଦିନ ଚାରଣ ଭୂମି ଲୋପ ପାଇବାରେ ଲାଗିିଛି । ଗୋ ସମ୍ପଦ ଚାରଣ ଭୂମି ଅଭାବରୁ ରାସ୍ତାରେ ବୁଲୁଛନ୍ତି । ଫଳରେ ବହୁ ସମୟରେ ଏଥିଯୋଗୁଁ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ବନ୍ତ ତହସିଲ ଅଧିନରେ ୨୦୮ଟି ରାଜସ୍ୱ ଗ୍ରାମରେ ଶହଶହ ଏକର ପରିମିତ ଚାରଣ ଭୂମି ଥିବା ବେଳେ ବହୁ ଏକର ପରିମିତ ଗୋଚର ପଡ଼ିଆ ଜବରଦଖଲରେ ରହିଛି । ଚାରଣ ଭୂମିର ଅଭାବରୁ ପ୍ରାଣୀମାନଙ୍କର ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ପ୍ରାଣୀ ସମ୍ପଦର ଅଭିବୃଦ୍ଧି ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ,ଆବଶ୍ୟକ ସ୍ଥାନରେ ବାକିଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରମାନ ସ୍ଥାପନ, ଅଧାପନ୍ତରିଆ କେନ୍ଦ୍ର ଗୁଡ଼ିକୁ ସମ୍ପୁର୍ଣ୍ଣ କରିବା ସହ ବିଶେଷ କରି ଚାରଣ ଭୂମିକୁ ଜବର ଦଖଲକାରୀଙ୍କ କବଳରୁ ରକ୍ଷା କରିବା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି । ସୂଚନାଯୋଗ୍ୟ;ବନ୍ତ ଓ ଆଗରପଡ଼ାରେ ଦୁଇଟି ପଶୁଚିକିତ୍ସା କେନ୍ଦ୍ର ସହ ଏହା ଅଧିନରେ ୧୧ଟି ପଶୁ ଚିକିତ୍ସା ଉପକେନ୍ଦ୍ର ରହିଛି । ପ୍ରାଣୀଧନ ନିରୀକ୍ଷକ ପଦ ଖାଲି ପଡ଼ିଥିବା ବେଳେ ଆଟେଣ୍ଡାଣ୍ଟ ପଦ ମଧ୍ୟ ଫାଙ୍କା ପଡ଼ିଛି । । ବହୁ ବର୍ଷ ପୂର୍ବେ ପ୍ରତି ପଂଚାୟତରେ ଗୋମିତ୍ର କାର୍ଯ୍ୟ କରିବାର ଥିବା ବେଳେ ଏବେ ମାତ୍ର ଜଣେ କାର୍ଯ୍ୟ କରୁଥିବାର ଜଣାପଡ଼ିଛି । ଫଳରେ ଗୋ ସମ୍ପଦ ଦିନକୁ ଦିନ କମିବାରେ ଲାଗିଥିବା ଅଭିଯୋଗ ହେଉଛି ।

