Photo for the news of agarpara barapada road

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ କଂକ୍ରିଟ ରାସ୍ତା ଫାଟି ଦୁଇ ଫାଳ

ରାଜ୍ୟ

ଆଗରପଡ଼ା :ଆଗରପଡ଼ା-ବନ୍ତ ଓ ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇଥିବା ବେଳେ ଏହାର ନିର୍ମଣ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗକୁ ନେଇ ଗତ ମାର୍ଚ୍ଚ ମାସରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ଏହାର କାର୍ଯ୍ୟକ୍ଷମକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ଉକ୍ତ ପ୍ରସଙ୍ଗକୁ ଇତି ମଧ୍ୟରେ ୨ମାସ ବିତିବାକୁ ବସିଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଉକ୍ତ ରାସ୍ତା ଦିନକୁ ଦିନ ବିଗିଡ଼ିବା ସହ ବିପଦକୁ ଆମନ୍ତ୍ରଣ କରୁଛି । ବର୍ତ୍ତମାନ କଂକ୍ରିଟ ରାସ୍ତା ଗୁଡ଼ିକ ଫାଟି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହେବା ସହ ୧୦ବର୍ଷ ପରେବି କେବଳ ମରାମତିରେ ସୀମିତ ରହିଛି ଉକ୍ତ ରାସ୍ତା । ବାରମ୍ବାର ଅଭିଯୋଗ ଓ ଧାରଣା ଦେବାର ଚେତାବନୀ ଦେବା ପରେ ବିଭାଗ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ ହେବା ପରିବର୍ତ୍ତେ ଗତ୨୦୨୩ ସେପ୍ଟେମ୍ବର ମାସରେ ଏହାର ମରାମତି କରାଯାଇଥିଲା । ମରାମତିକୁ ୬ମାସ ନପୁରୁଣୁ ରାସ୍ତା ତାର ପୂର୍ବ ଅବସ୍ଥାକୁ ଫେରିଆସିଥିଲା ।

ବର୍ତ୍ତମାନ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଓ ଜାମବଣୀ ଛକରେ ଥିବା କଂକ୍ରିଟ ରାସ୍ତା ଫାଟି ମଝିରୁ ଦୁଇଫାଳ ହୋଇଯିବା ସହ ବିପଦକୁ ଆମନ୍ତ୍ରଣ କରୁଛି । ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି । ଟିକେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ । ତେଣୁ ଉକ୍ତ ରାସ୍ତାର ମରାମତି ଜରୁରୀ ହୋଇପଡ଼ିଛି । ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ଷ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ମତକୁ ଇତି ମଧ୍ୟରେ ୪ବର୍ଷ ବିତିବାକୁ ବସିଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗ ତରଫରୁ ଗ୍ରହଣ କରାଯାଇନାହିଁ । ରାସ୍ତା ଅବସ୍ଥା ଶୋଚନୀୟ ହେବାରୁ ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ରୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ଖାଲି ମରାମତିରେ ବିଭାଗ ସୀମିତ ରଖିଛି । ମରାମତି ସରୁଛି କିନ୍ତୁ ମରାମତିକୁ ମାସେ କିମ୍ବା ଦୁଇ ମାସ ନପୁରୁଣୁ ତାହା ପୁଣି ତାର ପୂର୍ବ ଅବସ୍ଥାକୁ ଫେରି ଆସୁଛି । ରାସ୍ତା ସ୍ଥାୟୀ ମରାମତି ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଂଜୁର ପାଇଁ ଦିଆଯାଇଛି । ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବ । ଅଟକଳ ମଂଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବାର ଦେଇଥିବା ସୂଚନାକୁ ଇତି ମଧ୍ୟରେ ୩ବର୍ଷରୁ ଅଧିକ ସମୟ ବିତି ଯାଇଛି ଏବଂ ଅଧିକାରୀଙ୍କ ପ୍ରତିଶ୍ରୁତିରେ ଆଗରପଡ଼ା-ବରପଦା ରାସ୍ତା ବନ୍ଧା ପଡ଼ିଥିବା ବେଳେ ବାରମ୍ବାର ଅଭିଯୋଗ ଓ ଧାରଣା ଦେବାର ଚେତାବନୀ ଦେବା ପରେ ବିଭାଗ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ ହେବା ପରିବର୍ତ୍ତେ ଏହାର ମରାମତି କରାଯାଉଛି । ଅପରପକ୍ଷରେ ଉକ୍ତ ରାସ୍ତାର ସର୍ଭେ କାର୍ଯ୍ୟକୁ ଇତି ମଧ୍ୟରେ ୧୦ମାସ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗୀୟ ଉଦାସୀନତା ବିପଦକୁ ଆମନ୍ତ୍ରଣ କରିବାରେ ଲାଗିଛି । ସ୍ଥାୟୀ ରାସ୍ତା ନିର୍ମାଣକୁ କାଗଜକଲମରେ ସୀମିତ ନରଖି ଏହାର ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି ।