ଆଗରପଡ଼ା : ପ୍ରତିଷ୍ଠାକୁ ୭୨ ବର୍ଷ ପୂରି ଯାଉଛି କିନ୍ତୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ା ପ୍ରାଣୀ ଚିକିତ୍ସାଳୟର ପାରିପାଶ୍ୱିର୍କ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନହେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଉକ୍ତ ଅବହେଳିତ ଅବସ୍ଥାରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ଯୋଗୁଁ ଚିକିତ୍ସା ସେବା ପ୍ରାଣୀମାନେ ଠିକ୍ ଭାବେ ପାଇପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି । ୧୯୫୨ ମସିହାରେ ପ୍ରତିଷ୍ଠିତ ଏହି ଚିକିତ୍ସାଳୟ ଉପରେ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ବିଟିପୁର, ପୁରୁଷଣ୍ଢ, ମହାନ୍ତିପଡ଼ା, ବଡ଼ମହିଁଷଗୋଠ, ଅଣିଜୋ, ଗୋପିନାଥପୁର ସମେତ ଆଡ଼ିଆ ପରି ପଂଚାୟତ ଅଂଚଳ ନିର୍ଭର କରିଥାଏ । ଏହି ଚିକିତ୍ସାଳୟ ଅଧୀନରେ ଓଡ଼ଙ୍ଗ, କାଦବରାଙ୍ଗ, ଆଡ଼ିଆ ଓ ଅଣିଜୋ ଆଦି ସ୍ଥାନରେ ପ୍ରାଣୀଧନ ସହାୟକ କେନ୍ଦ୍ରମାନ ରହିଛି । ଗୋପିନାଥପୁର ଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସହାୟକ କେନ୍ଦ୍ର ଗୃହ ନିର୍ମାଣ ହୋଇ ବର୍ଷାଧିକ କାଳ ପଡ଼ି ରହିବା ନେଇ ଲୋକମାନଙ୍କ ମନରେ ସରକାରଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆଗରପଡ଼ା ଚିକିତ୍ସାଳୟରେ ଏଲଆଇ,ପିଅନ ଓ ଆଟେଣ୍ଡାଣ୍ଟ ପଦବୀ ଖାଲିଥିବାରୁ ପ୍ରାଣୀମାନଙ୍କୁ ଆୟତ୍ତ କରି ଚିକିତ୍ସା କରିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି । କର୍ମଚାରୀ ସମସ୍ୟାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଜଣେ ସ୍ଥାୟୀ ଭିଏଏସଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି । କେବଳ ଜଣେ ଭିଏଏସ ଓ ଚୈାକିଦାରଙ୍କ ସହାୟତାରେ ଚାଲିଛି ପ୍ରାଣୀ ସେବା । ଏହାର ସଂଲଗ୍ନରେ ଥିବା ଏକ ପରିତ୍ୟକ୍ତ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଆଜି ସୁଦ୍ଧା ଏହାକୁ ଭାଙ୍ଗିବାର କୈାଣସି ବ୍ୟବସ୍ଥା କରାଯାଇନାହିଁ । ଖାଲି ବିଭାଗୀୟ ଅଧିକାରୀମାନେ ପରିଦର୍ଶନ କରି ଭାଙ୍ଗିବାର ପ୍ରତିଶୃତି ଦେବା ଯାହା ସାର ହୋଇଛି । ଭିଏଏସ କ୍ୱାର୍ଟର ନଥିବାରୁ ସେ ବାହାର ଭଡ଼ାଗୃହରେ ରହୁଛନ୍ତି । ଯଦ୍ୱାରା ତତ୍କାଳ ଚିକିତ୍ସା ପାଇବାରୁ ପ୍ରାଣୀମାନେ ବଂଚିତ ହେଉଛନ୍ତି । ସେହିପରି ଏହା ଅଧିନରେ ଥିବା ସହାୟକ କେନ୍ଦ୍ର ମାନଙ୍କରେ କୌଣସି ଆଟେଣ୍ଡାଣ୍ଟନାହାନ୍ତି । ସ୍ଥାନୀୟ ଅଂଚଳରେ ଗୋ-ଚାଷୀ ମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିଲେ ସୁଦ୍ଧା ଆବଶ୍ୟକୀୟ ଭିତ୍ତିଭୂମି ଓ କର୍ମଚାରୀମାନଙ୍କ ଅଭାବ ଯୋଗୁଁ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନାନାଦି ସମସ୍ୟା ସୃଷ୍ଟି ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

