ଆଗରପଡ଼ା :ଜନୈକ ବ୍ୟକ୍ତିଙ୍କ ନିଜସ୍ୱ ଜାଗା ଥିବାବେଳେ ସେ ନିଜକୁ ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ବେନିୟମ ଭାବେ ହଡ଼ପ କରିଥିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଜନୈକ ସୂଚନା ଅଧିକାର କର୍ମୀ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ଅଭିଯୋଗ ଉପରେ ଉତ୍ତର ରଖିବାକୁ ଉପଜିଲ୍ଲାପାଳ(ରାଜସ୍ୱ ବିଭାଗ)ଙ୍କ ପକ୍ଷରୁ ବନ୍ତ, ତହସିଲଦାରଙ୍କୁ ଜବାବ ମଗାଯାଇଥିଲା । ପରେ ବନ୍ତ ତହସିଲଦାର ପୂର୍ବରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ଉପଜିଲ୍ଲାପାଳ(ରାଜସ୍ୱ ବିଭାଗ)ଙ୍କୁ ପ୍ରେରଣ କରିଥିଲେ । ଉପଜିଲ୍ଲାପାଳ ତହସିଲଦାରଙ୍କ ଉତ୍ତର ଉପରେ ପ୍ରଶ୍ନ ଉଠାଇବା ସହ ଗତ ଏପ୍ରିଲ ମାସ ୨୧ ତାରିଖ ପତ୍ର ସଂଖ୍ୟା ୩୭୮୪ରେ ଏହାର ପୁନଃ ତର୍ଜମା କରି ସଠିକ୍ ଉତ୍ତର ରଖିବାକୁ ଅନୁରୋଧ କରିଥିଲେ । କିନ୍ତୁ ପତ୍ର ପଠାଇବାର ୨୨ଦିନ ପରେ ମଧ୍ୟ ତହସିଲଦାର,ବନ୍ତ ଉପଜିଲ୍ଲାପାଳ(ରାଜସ୍ୱ ବିଭାଗ)ଙ୍କ ପତ୍ରର କୌଣସି ଉତ୍ତର ନରଖିବାରୁ ପୁନଃଶ୍ଚ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୧୩ ତାରିଖରେ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୫୬୫ରେ ତହସିଲଦାର,ବନ୍ତଙ୍କୁ ଏକ ସ୍ମରଣ ପତ୍ର ପଠାଯିବା ସହ ଅଭିଯୋଗ ଉପରେ ନିଜର ମତାମତ ରଖିବା ସହ ଯଥାଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି ।୨୦୨୧ ଅପ୍ରେଲ ୩ ତାରିଖରେ ବନ୍ତ ତହସିଲଦାର ଇନ୍ଦିରା ସାହୁଙ୍କ ନିକଟରେ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଜୟକୃଷ୍ଣ ଦାଶଙ୍କ ପୁତ୍ର ଗୋପିନାଥ ଦାଶ ଯିଏକି ୨୦୦୮ ମସିହାରୁ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ଆପ୍ତିରା ୟୁଜିଏମଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି ।
୨୦୦୫ ମସିହାରେ ଚାକିରୀ କରିନଥିବା ବେଳେ ସେ ନିଜକୁ ଭୂମିହୀନ ଦର୍ଶାଇ ସରକାରଙ୍କ ତରଫରୁ ୪ଡ଼ିସିମିଲ ଜାଗା ଚତୁରତାର ସହିତ ନିଜ ନାମରେ ହାତେଇଛନ୍ତି କିନ୍ତୁ ତାଙ୍କ ପୂର୍ବପୁରୁଷଙ୍କ ନାମରେ ୯.୫ଡ଼ିସିମିଲ ଘରବାଡ଼ି ଓ ୭୭ ଡ଼ିସିମିଲ ଚାଷ ଜମି ଥିବା ସ୍ଥଳେ ଶ୍ରୀ ଦାଶ କିପରି ଭୂମିହୀନ ହୋଇ ସରକାରୀ ଜମିକୁ ହାତେଇଲେ ସେ ନେଇ ଅଭିଯୋଗ ଆଣିଥିଲେ । ପରବର୍ତ୍ତୀ ସମୟରେ ତତ୍କାଳୀନ ତହସିଲଦାର ଆଗରପଡା଼ ରାଜସ୍ୱ ନିରୀକ୍ଷକଙ୍କୁ ଏହାର ତଦନ୍ତ ଦାଇତ୍ୱ ଦେଇଥିଲେ । ଉକ୍ତ ତଦନ୍ତ ରିପୋର୍ଟ ସରକାରୀ ନିୟମକୁ ଉଲଂଘନ କରୁଥିବା ଜଣାପଡ଼ିଥିଲା । ଏହା ଜାଣି ସୁଦ୍ଧା ତତ୍କାଳୀନ ତହସିଲଦାର ଇନ୍ଦିରା ସାହୁ ଏହାର ଠିକ ତର୍ଜମା ନକରି ଏକ ପାଖିଆ ତର୍ଜମା କରିଥିବାରୁ ଏହା ଉପରେ ବିଚାର କରିବାକୁ ଜିଲ୍ଲାପାଳଙ୍କ ଠାରେ ୨୦୨୧ ନଭେମ୍ବର ୮ତାରିଖରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଏହାର ତଦନ୍ତ ଭାର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଏହାର ତଦନ୍ତ ଦାଇତ୍ୱ ଯାହା ନାମରେ ତଦନ୍ତକୁ ନେଇ ଅଭିଯୋଗ ହୋଇଛି ତାଙ୍କୁ(ଇନ୍ଦିରା ସାହୁ)ଙ୍କୁ ପ୍ରଦାନ କରିଥିଲେ । ତେଣୁ ଅଭିଯୋଗ କାରୀଙ୍କୁ ଉଚିତ ନ୍ୟାୟ ମିଳି ପାରିନଥିଲା । ତେଣୁ ତତ୍କାଳୀନ ତହସିଲଦାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ସୂଚନା ଅଧିକାର କର୍ମୀ ବିକାଶ ଧଳ ବର୍ତ୍ତମାନ ଏହାର ପୁନଃ ବିଚାର କରିବା ଓ ଉପଜିଲ୍ଲାପାଳ(ଭଦ୍ରକ),ତହସିଲଦାର(ବନ୍ତ),ରାଜସ୍ୱ ନିରୀକ୍ଷକ(ଆଗରପଡ଼ା)ଏବଂ ଶିକ୍ଷକ ଗୋପିନାଥ ଦାଶଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।

