ଆଗରପଡ଼ା :ରଜ ପରେ ମୌସୁମୀ ବର୍ଷା ଆସିଯିବ । ତା ଆଗରୁ ବିଲ ପାଖ ନାଳରେ ଥିବା ପାଣିର ସୁବିଧା ନେଇ ଏବଂ କାଳବୈଶାଖୀ ପ୍ରଭାବରେ ହେଉଥିବା ବର୍ଷାର ସୁବିଧା ନେଇ ଚାଷୀ କିଛିଟା ତଳି ପକାନ୍ତି ପ୍ରତିବର୍ଷ । କିନ୍ତୁ ନିଜ ବିଲ ଦେଇ ଯାଇଥିବା କାଡ଼ା ନାଳ ଜବରଦଖଲରେ ଥାଇ ପୋତି ଯାଇଥିବାରୁ ଏବେ ଚିନ୍ତାରେ ଚାଷୀ । ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ପାଇଁ ବିଭିନ୍ନ ନାଳ, କେନାଲ, କାଡ଼ାନାଳ ଆଦି ବ୍ୟବସ୍ଥା ରହିଛି । ହେଲେ ଏତେ ସବୁ ବ୍ୟବସ୍ଥା ପରେ ବି ଚାଷୀଙ୍କ ଜମିକୁ ପ୍ରତିବର୍ଷ ପାଣି ଟୋପାଏ ମାଡ଼ି ବା ସମ୍ଭବ ହେଉନି । ବିଭିନ୍ନ ସମୟରେ ହୋଇଥିବା ବନ୍ଦୋବସ୍ତ ଅନୁଯାୟୀ ଚାଷ ଜମି ଗୁଡ଼ିକୁ ଜଳ ଯୋଗାଇ ଦେବା ପାଇଁ ସରକାରୀ ଖାତାରେ କାଡ଼ାନାଳର ବ୍ୟବସ୍ଥା କରାଯାଇଛି । ଏହି କାଡ଼ା ନାଳ ଦେଇ ବିଭିନ୍ନ ନାଳ ଓ କେନାଲରୁ ପାଣି ଆସି ଚାଷ ଜମିରେ ମାଡ଼ିଥାଏ ଓ ଜମିରେ ଅଧିକ ପାଣି ହେଲେ ଏହି କାଡ଼ା ଦେଇ ନିଷ୍କାସନ ମଧ୍ୟ ହୋଇଥାଏ । ହେଲେ ଏହି କାଡ଼ା ନାଳ ବ୍ୟବସ୍ଥା ଏବେ କୋମାରେ ରହିଛି । କେଉଁଠି ଦଶ କଡ଼ିଆ ତ ଆଉ କେଉଁଠି ବାର କଡିଆ କାଡା ନାଳ ଏବେ ଜମିରେ ମିଶି ଗଲାଣି । ଏହାକୁ ନେଇ ଚାଷୀ କୂଳ ଚିନ୍ତାରେ ରହିଛି । ବର୍ଷ ବର୍ଷ ଧରି କାଡ଼ା ନାଳର ଖନନ ଓ ସଂସ୍କାର କରାଯାଉ ନଥିବାରୁ ଚାଷୀ ଜମିକୁ ପାଣି ଟୋପାଏ ମାତ୍ର ନାହିଁ । ଏହି ନାଳ ଗୁଡିକର ସଂସ୍କାର ଠିକ୍ ସମୟରେ କରାଯାଉ ନଥିବାରୁ ସମୟ କ୍ରମେ ପାଖ ଜମି ବାଲା ନିଜ ଜମିରେ ଏହି କାଡାକୁ ମିଶାଇ ଦେଲେଣି । ଅନ୍ୟପଟେ କାଡା ସଂସ୍କାର ନାଁରେ ଠିକାଦାରୀ କରି କାଗଜ ପତ୍ରରେ ସଂସ୍କାର ହୋଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଛତି ଠିକାଦାର । କେଉଁଠି କଂକ୍ରିଟ, ସ୍ଲାବ ଓ ୱାଲ କରି କାଡା ନିର୍ମାଣ ହେଉଛି ତ ଆଉ କେଉଁଠି ନାମକୁ ମାତ୍ର ଖନନ କରାଯାଇ ବିଲ୍ କରାଯାଉଛି । ମୋଟାମୋଟି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏହି କାଡା ନାଳ ରକ୍ଷଣାବେକ୍ଷଣ ଅଭାବରୁ ଜମିରେ ମିଶି ଯାଇଥିବାବେଳେ କାଗଜ ପତ୍ରରେ ସଂସ୍କାର ନାମରେ ଲୁଟ୍ ହେଉଛି । ଚାଷୀ ନିଜ ଜମିକୁ ପାଣି ନପାଇ ହଇରାଣ ହରକତ ହେଉଥିବାବେଳେ କାଗଜ କଲମରେ କିନ୍ତୁ ଜଳସେଚିତ ଜମି ବୋଲି ଦର୍ଶାଯାଇ ଚାଷୀଙ୍କଠାରୁ ସରକାର ମୋଟା ଅଙ୍କର ଜଳକର ଆଦାୟ କରୁଛନ୍ତି ।

ଏଠାରେ ପ୍ରକାଶ ଥାଉକି ବନ୍ତ ବ୍ଲକ ଅନ୍ତର୍ଗତ ବଡ଼ମହିଁଷଗୋଠ ଓ ପୁରୁଷଣ୍ଢ ପଂଚାୟତର କୁଆଁଶମଢିଆ ରାଜସ୍ୱ ମୌଜାର ଗରୀବ,ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ପରିବାରର ଚାଷୀ ମାନେ କୃଷି କାର୍ଯ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ; ସରକାରୀ ଚକବନ୍ଦୀ ନକ୍କା ଅନୁସାରେ ଅଣିଜୋ ଶାଖା କେନାଲ(କୁଆଁଶମଢିଆ ମୌଜା ଜଳସେଚନ ଅଫିସ ସନ୍ନିକଟ)ରୁ ଆଉଟ୍ଲେଟ୍ ଦ୍ୱାରା ଏକ ପ୍ରଧାନ ପାଣିନାଳ ଖାତା ନଂ-୨୮୪,ପ୍ଲଟ ନଂ-୫୩୭,ରକବା-ଏ୦-୧୧ଡ଼ି. ଦୀର୍ଘ ୫୦୦ ମି.ପର୍ଯ୍ୟନ୍ତ ସ୍ଥିତାବସ୍ଥା ହରାଇ ବସିଛି । ପରିତାପର ବିଷୟ ଉକ୍ତ ଆଉଟ୍ଲେଟ୍ ଆରମ୍ଭରୁ ପ୍ରଧାନ ପାଣିନାଳ ଉପରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବେଆଇନ୍ ଭାବେ ପକ୍କାଘର ନିର୍ମାଣ କରିବା ସହ ଉକ୍ତ ମୌଜାର ପାଖାପାଖି ୨୫ରୁ ଉର୍ଦ୍ଧ୍ୱ ପ୍ରଧାନ ପାଣିନାଳ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଅବରୋଧ କରାଯାଇଅଛି । ଯଦ୍ୱାରା ସମସ୍ତ ଚାଷ ଜମିକୁ ଜଳ ନିଷ୍କାସନ ହୋଇପାରୁନାହିଁ କି ଚାଷ ଜମିରେ ପାଣି ପହଂଚି ପାରୁନାହିଁ । ଅପର ପକ୍ଷରେ କେନାଲ ଜଳ ନପାଇ ମଧ୍ୟ ସେମାନେ ଜଳକଳ ଦେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ପ୍ରଧାନ ପାଣିନାଳ ଉପରେ ବେଆଇନ୍ ସ୍ଥାୟୀ ପକ୍କ୍ାଗୃହକୁ ଉଚ୍ଛେଦ ଓ ଅବରୋଧ ହୋଇ ରହିଥିବା ସମସ୍ତ ପ୍ରଧାନ ପାଣିନାଳକୁ ଅବରୋଧ ମୁକ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବା ଜଣାପଡ଼ିଛି । ସେହିପରି ଆଗରପଡ଼ା ଜଳସେଚନ ବିଭାଗ ଅଧୀନରେ ପ୍ରାୟ ୧୧୬ଟି ପାଣିପଂଚାୟତ କମିଟି ଗଠନ କରାଯାଇଛି ଓ ବିଭିନ୍ନ ସମୟରେ ବିଭିନ୍ନ ଅଂଚଳରେ କାଡ଼ାନାଳ ନିର୍ମିତ ହେଉଛି କିନ୍ତୁ ଏହାର ନିର୍ମାଣକୁ ନେଇ କାଡ଼ାନାଳର ସ୍ଥାୟିତ୍ୱ ପ୍ରତି ଚାଷୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ କାଡା ସଂସ୍କାରକୁ କାଗଜକଲମରେ ସୀମିତ ନରଖି ଏହାର ସଫଳତା ପ୍ରତି ବିଭାଗ ତରଫରୁ ଉଦ୍ୟମ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି ।

