Rao

ବ୍ରାହ୍ମଣ ସାହିବାସୀଙ୍କୁ କନ୍ଦାଏ ବର୍ଷା, ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ

ରାଜ୍ୟ

ଆଗରପଡ଼ା :ବର୍ଷା ଆସିଲା କ୍ଷଣି ଗ୍ରାମବାସୀଙ୍କ ଆଖିରେ ଲୁହ ଆସିଥାଏ । ସାମାନ୍ୟ ମୈାଳିକ ସୁବିଧାରୁ ବଂଚିତ ଗ୍ରାମବାସୀଙ୍କ ପାଇଁ ବର୍ଷା ସତେ ଅବା ଅଭିଶପ୍ତ ପାଲଟିଛି । ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ଗ୍ରାମ ଅର୍ନ୍ତଗତ ବ୍ରାହ୍ମଣସାହି । ଏହି ସାହିକୁ ଭଲ ରାସ୍ତାଟିଏ ନାହିଁ । ଉକ୍ତ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ହୋଇନଥାଏ । ବଜାରକୁ ନ ଗଲେ ରୋଷେଇ ବନ୍ଦ,ପୁଣି ସ୍କୁଲ,କଲେଜକୁ ନ ଗଲେ ପାଠ ପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ସ୍କୁଲକୁ, ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଧ୍ୟୟନ ପାଇଁ ଆସିଥାନ୍ତି । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ମୁଖ୍ୟ ରାସ୍ତା ଉପରେ ହିଁ ରହିଥାଏ । ବର୍ତ୍ତମାନ କାଳବୈଶାଖି ପ୍ରଭାବରେ ବର୍ଷା ହେଉଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତା ସମସ୍ୟା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ କେହି ଶୁଣିନଥିବାରୁ ଏହାର ପ୍ରତିବାଦରେ ଉକ୍ତ ସାହିର ବାସିନ୍ଦା ଗତ ବର୍ଷ ରାସ୍ତାରେ ଧାନ ତଳି ରୋଉ ଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଛିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ମାଟି ଓ ମହରମରେ ଉକ୍ତ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ଇତି ମଧ୍ୟରେ ଏହାକୁ ୫ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏଥିରେ କୌଣସି ଅଗ୍ରଗତି ହୋଇଥିବା ଜଣାପଡ଼ୁନାହିଁ । ତେଣୁ ବର୍ଷା ଋତୁ ଆସିବା ପୂର୍ବରୁ ଉକ୍ତ ସାହିକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାହିବାସୀ ଦାବି କରିଛନ୍ତି ।

Shrutilipi ad